ନୂଆଦିଲ୍ଲୀ : ଏଥର ସାଧାରଣତନ୍ତ୍ର ଦିବସ ହେବ ସ୍ୱତନ୍ତ୍ର । ଏହି ଦିବସକୁ ଖାସ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ତେବେ ସାଧାରଣତନ୍ତ୍ର ଦିବସରେ ଲାଲକିଲା ଠାରେ ନିଜର ପରାକାଷ୍ଟା ଦେଖାଇବେ ମହିଳା । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ ମହିଳା ହିଁ ପରେଡ କରିବେ । କର୍ତ୍ତବ୍ୟ ପଥରେ ପରେଡ, ମାର୍ଚ୍ଚପାଷ୍ଟ ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ କେବଳ ମହିଳା ହିଁ ନଜର ଆସିବେ । ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ସେନା ଏବଂ ପରେଡରେ ସାମିଲ ହେଉଥିବା ଅନ୍ୟ ବିଭାଗକୁ ଚିଠି ଲେଖି ଏହି ସୂଚନା ଦେଇଛି। କେନ୍ଦ୍ର ସରକାର ଗତ କିଛି ବର୍ଷ ହେଲା ସଶସ୍ତ୍ର ବାହିନୀରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେଉଛନ୍ତି। ଭବିଷ୍ୟତରେ ମହିଳାଙ୍କ କମାଣ୍ଡ ଦେବାକୁ ଏବଂ ନେତୃତ୍ବ ନେବା ନିମନ୍ତେ ପ୍ରସ୍ତୁତ କରିବାକୁ ଅନେକ ବଡ଼ ନିଷ୍ପତ୍ତି ନେଉଛନ୍ତି।
ଏହି କ୍ରମରେ ଗତ ୨୯ ତାରିଖରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଥିଲା। ଏମାନଙ୍କୁ ଚୀନ୍ ଏବଂ ପାକିସ୍ତାନ ସୀମାରେ ମୁତୟନ କରାଯାଇଥିଲା। ଗଣତନ୍ତ୍ର ଦିବସ ପରେଡରେ ମହିଳାଙ୍କ ସହଭାଗିତା ବୃଦ୍ଧି କରିବାର ନିଷ୍ପତ୍ତି ଫେବୃଆରୀ ୭ରେ ବସିଥିବା ‘ଡି-ବ୍ରିଫିଂ ବୈଠକ’ରେ ନିଆଯାଇଥିଲା। ପ୍ରତିରକ୍ଷା ସଚିବ ବିରିଧର ଅରମାନେଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ଥଳସେନା, ନୌସେନା, ବାୟୁସେନା, ସ୍ବରାଷ୍ଟ୍ର ମନ୍ତ୍ରାଳୟ, ସହରୀ ଆବାସ ମନ୍ତ୍ରାଳୟ, ସଂସ୍କୃତି ଏବଂ ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ପ୍ରତିନିଧି ସାମିଲ ହୋଇଥିଲେ।
ଆଲୋଚନା ପରେ ୨୦୨୪ ସାଧାରଣତନ୍ତ୍ର ପରେଡ ବା ଜାନୁଆରୀ ୨୬ ପରେଡରେ କେବଳ ମହିଳାମାନେ ଯୋଗଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା । ୨୦୧୯ରେ କ୍ୟାପିଟେନ ଶିଖା ସୁରଭି ପ୍ରଥମ ମହିଳା ଅଫିସର ଭାବରେ ବାଇକ ଷ୍ଟଣ୍ଟ ଡେୟାର ଡେଭିଲସର ନେତୃତ୍ୱ ନେଇଥିଲେ । ଆଉ ଏବେ ସମ୍ପୂର୍ଣ୍ଣ ପରେଡରେ ନିଜର ପରାକାଷ୍ଟା ଦେଖାଇବେ ମହିଳା । ଆଉ ଭାରତକୁ ଗୌରବାନ୍ୱୀତ କରାଇବେ ।