ଭୁବନେଶ୍ୱର/ରାଜେଶ ସାହୁ: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା କିଛି ନୂଆ କଥା ନୁହେଁ । କିନ୍ତୁ ଶନିବାର ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିରୋଧୀ ଟପିଛନ୍ତି ସବୁ ସୀମା । ଗଣତନ୍ତ୍ରର ମନ୍ଦିରରେ ଗୃହର କର୍ତ୍ତାଙ୍କୁ ଚପଲ ଫିଙ୍ଗିବା ପରି ଅଶାଳୀନ ଘଟଣା ଆଜି ଦେଖିବାକୁ ମିଳିଛି । ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି । ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି । ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି । ତେବେ ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।
ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି । କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି । ତେବେ ସେ ଚପଲ ଫିଙ୍ଗିନଥିବା ଶ୍ରୀ ସେଠୀ କହିଛନ୍ତି । କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି । ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗାଯାଇଥିଲା ।
ଅନ୍ୟପକ୍ଷରେ ଆଇନ ତା’ ବାଟରେ ଯିବ, ତାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ସମସ୍ତ କଥାକୁ ବିଚାର କରୁଛି । ତର୍ଜମା କରୁଛି । ଆଇନ ତା’ ବାଟରେ ଯିବ, କେହି ବନ୍ଦ କରିପାରିବେନି । ବିଧାନସଭାରେ ଉଠାଯାଇଥିବା ଫଟୋ ପରୀକ୍ଷା କରୁଛି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି