ଆସନ୍ତା ୭ ତାରିଖ ଯାଏଁ ଭିଜିବ ଓଡିଶା,୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

0

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବିଶେଷ କରି ଦକ୍ଷିଣ ଓଡିଶାର ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁ ପଦ ସେଠୀ ଚିଠି ଲେଖିଛନ୍ତି ।
ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ବରଗଡ଼, ଢେଙ୍କାନାଳ, ଅନୁଗୁଳ, ପୁରୀ, କେନ୍ଦୁଝର, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୫ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରେ ଉପକୂଳ ଓଡ଼ିଶା ସମେତ କେରାପୁଟ, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲା ଓ ୭ ତାରିଖରେ ସମଗ୍ର ଓଡ଼ିଶାରେ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୬ ତାରିଖ ପର୍ୟ୍ୟନ୍ତ ମାଛ ଧରିବାକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କ ଉପରେ ପରାମର୍ଶ ଦିଆଯାଇଛି ।
ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଆବଶ୍ୟକ ପଦକ୍ଷେପ ନେବା ସହ ବିପର୍ୟ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହମବତୀ, ପିଇବା ପାଣି, ସୁଖିଲା ଖାଦ୍ୟ ଓ ପର୍ୟ୍ୟାପ୍ତ ପରିମାଣରେ ଔଷଧ ଆଦି ମହଜୁଦ ରଖିବାକୁ କୁହାଯାଇଛି । ହଷ୍ଟେଲ ଓ ଆବାସିକ ବିଦ୍ୟାଳୟଗୁଡ଼ିକରେ ରହୁଥିବା ଅନ୍ତେବାସୀ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି ।