ଭୁବନେଶ୍ୱର: 2025-26 ବର୍ଷ ପାଇଁ, ରାଜ୍ୟ ସରକାର ସ୍କୁଲ ଶିକ୍ଷା କ୍ଷେତ୍ରରେ 31 ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା କରିଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧୁକ ଏବଂ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ । ଆମ ସରକାର 2025-26 ଶିକ୍ଷାବର୍ଷରୁ NEP-2020 ଲାଗୁ କରିବାକୁ ନିଷ୍ପରି ନେଇଛନ୍ତି । ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନାମକ 45 ହଜାରରୁ ଅଧିକ ପ୍ରାକ୍-ପ୍ରାଥମିକ ଶ୍ରେଣୀ କାର୍ଯ୍ୟକ୍ଷମ ହେବ ।
ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରମ୍ପରା ଦ୍ବାରା ଅନୁପ୍ରାଣିତ, ପଞ୍ଚାୟତ ସ୍ତରରେ ସାମଗ୍ରିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ସରକାରଙ୍କ ଏକ ମହତ୍ବାକାଂକ୍ଷୀ ଯୋଜନା । ପ୍ରାୟ 7 ହଜାର ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯାଇ ସେଗୁଡିକୁ ଉନ୍ନତ ଭିତ୍ତିଭୂମି, ଶିକ୍ଷଣ ସମ୍ବଳ ଏବଂ ଜୀବନ-ଦକ୍ଷତା ଶିକ୍ଷାରେ ସମର୍ଥ କରାଯିବ, ଯାହା ଦ୍ବାରା ପିଲାଙ୍କ ଭାଷାଗତ ଓ ଗାଣିତିକ ଦକ୍ଷତା ବିକାଶ ହେବ ଏବଂ ସେମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେବେ । 2025-26 ବର୍ଷ ପାଇଁ ମୁଁ ଏହି ଯୋଜନା ଅଧୀନରେ 2 ହଜାର ୨ ଶହ 60 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦେଉଛି ।
ଏକ ଶହ ବର୍ଷରୁ ଅଧିକ ପୁରୁଣା କିମ୍ବା ଜିଲ୍ଲାର ସବୁଠାରୁ ପୁରୁଣା ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କରିବା ‘ଐତିହ୍ୟ ବିଦ୍ୟାଳୟ’ ଅଭିଯାନର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଶିକ୍ଷାଗତ ପରମ୍ପରାକୁ ସମ୍ମାନ ଜଣାଇ 50ରୁ ଅଧିକ ଐତିହ୍ୟ ବିଦ୍ୟାଳୟର ନବୀକରଣ କରାଯିବ