ଖରିଫ ଫସଲ ପାଇଁ ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କା କାଳିଆ ସହାୟତା ପ୍ରଦାନ

0

ଭୁବନେଶ୍ୱର: ଆଜି ପବିତ୍ର ଉକଳ ଦିବସ ,ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି । ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୮୭୭ କୋଟି ଟଙ୍କା ସହାୟତା ପଠାଯାଇଛି । ଏହି ଅବସରରେ ଚାଷୀ ଭାଇମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡିହୋଇ ରହିଛି । ତେଣୁ ଆଜିର ଦିନରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଆର୍ଥିକ ବର୍ଷ ଆରମ୍ଭ କଲୁ । ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ଦେଇଥିଲେ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ପୁଷ୍ଟିଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ୟ୍ୟକାରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ କାଳିଆ ଯୋଜନା ଚାଷୀମାନଙ୍କୁ ଆତ୍ମନିର୍ଭର କରିଛି । ଚାଷ ପାଇଁ ଧାର ଉଧାରରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି । ଏହି ଅବସରରେ ମାଲକାନଗିରିର ଚାଷୀ ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ଏହାଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ୫ଟି ସଚିବ ଭି କେ ପାଣ୍ଡିଆନ ପରିଚାଳନା କରିଥିଲେ ।