ପଛୁଆ ଅଞ୍ଚଳରେ ବିକାଶ ଧିମେଇ ଧିମେଇ ଚାଲିଛି

0

ସୂର୍ଯ୍ୟକାନ୍ତ ବେହେରା, ମାଲକାନଗିରି : ପଛୁଆ ଅଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡିବା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତ ନିମନ୍ତେ ହେଉଛି ଅନେକ ଯୋଜନା । ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାରେ ସରକାରଙ୍କ ଏହି ସବୁ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନାହି। ଆଦିବାସୀ ଗାଁକୁ ଯିବା ଲାଗି ରାସ୍ତାଟିଏ ନଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହି ସରକାରଙ୍କ ମୌଳିକ ସୁବିଧା । ଗାଁର ଏକାଧିକ ଲୋକେ କାଦୁଅ ପଚ ପଚ ରାସ୍ତରେ ଯାତାୟତ କରୁଛନ୍ତି ।ଆଣ୍ଠୁଏ କାଦୁଅ ଭିତରେ ଯେଉଁଠି ମଣିଷ ଏକାକି ଯାଇ ପାରୁନାହିଁ ସେଇଠି ସାଇକେଲ ଓ ମୋଟର ସାଇକେଲ ଦ୍ଵାରା ଯାତାୟତ କିପରି ସମ୍ଭବପର । ଏହା ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ନୁଆଗୁଡା ଗାଁର ଦୃଶ୍ୟ । ସରକାରୀ ବାବୁଙ୍କ କେବେ ଏହି ଗ୍ରାମରେ ପାଦ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଖରା ଦିନ ଯେମିତି ସେମିତି କଟିଯାଏ ହେଲେ ବର୍ଷା ଦିନ ଆସିଲେ ଲୋକଙ୍କୁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡେ । ଏ ହେଉଛି ପଛୁଆ ଅଞ୍ଚଳରେ ବିକାଶର ଚିତ୍ର ।କେବଳ ଗମନା ଗମନ ନୁହେ, ନୁଆଗୁଡା ଗାଁରେ ବାସ କରୁଥିବା ଶହେରୁ ଉର୍ଦ୍ଧ ଆଦିବାସୀ ପରିବାର ପାନୀୟ ଜଳ ଠାରୁ ଆରମ୍ଭ କରି ଜଙ୍ଗଲରୁ କାଠ ସଂଗ୍ରହ କରିବା ଓ ଶିକ୍ଷା ସ୍ବାସ୍ଥ୍ୟ ସେବା ପର୍ୟ୍ୟନ୍ତ ସବୁ କାମ ଲାଗି ପ୍ରତିଦିନ ଏହି କାଦୁଅ ପଚ ପଚ ରାସ୍ତା ଉପରେ ହିଁ ନିର୍ଭର କରିବାକୁ ବାଧ୍ୟ ହୋଇଥିବା ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଏମିତିକି ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ ମଧ୍ୟ ଯାଇପରୁନାହି, ରୋଗୀ ଖଟିଆ ରେ ବୁହା ହେଉଛନ୍ତି। ବର୍ଷ ବର୍ଷ ଧରି ଗାଁ ଲୋକେ ଯିବା ଆସିବା କରୁଥିବା ବେଳେ କୌଣସି ସରକାରୀବାବୁ କିମ୍ବା ପ୍ରଶାସନ ମଧ୍ୟ ନଜର ଏହି ଗାଁ ରାସ୍ତାଉପରେ ପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁର ଦୁର୍ଦ୍ଦଶାକୁ ନେଇ ନୁଆଗୁଡା ଗାଁ ଲୋକେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ୟ୍ୟନ୍ତ ଅଭିଯୋଗ କରିଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସୁଫଳ ମିଳିନାହିଁ ।