ନୂଆଦିଲ୍ଲୀ-: ନିୟନ୍ତ୍ରଣ ରେଖାରେ କିଛି ସ୍ଥାନୀରେ ପାକିସ୍ତାନୀ ସେନା ତରଫରୁ ଫାୟାରିଂ କରାଯାଇଛି । ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି କି ଏହାର କଡା ଜବାବ ଦିଆଯାଇଛି । ସେନାର ସୂଚନା ଅନୁସାରେ ଭାରତୀୟ ସେନା ଗୁରୁବାର ରାତିରେ ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖାରେ କିଛି ସ୍ଥାନରେ ପାକିସ୍ତାନୀ ସେନାର ଗୁଳିମାଡର ଜବାବ ଗୁଳିମାଡରେ ଦେଇଛି ।
ସୂଚନା ଅନୁସାରେ, ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ ଚାଲିଛି । ଆଉ ଯାହାର ଜବାବ ଦେଉଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ସେପଟେ ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ । ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି । ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧାଭ୍ୟାସ କରିଛି ବାୟୁସେନା । ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି ।
ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନକୁ କୂଟନୈତିକ ଭାବେ ଅଲଗା କରିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିର ନିଲମ୍ବନ, ବାଘା-ଅଟାରୀ ସୀମା ବନ୍ଦ ଏବଂ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ ଅନ୍ତର୍ଭୁକ୍ତ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନା ମୂଳକ ରହିଛି।