ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ସାଇବର ଆଟାକ ପାଇଁ ସାଇବର ହ୍ୟାକର୍ସଙ୍କ ସାହାରା ନେଇଛି। ଅପରେସନ ସିନ୍ଦୂର ପରଠାରୁ ପାକ୍ ସାଇବର ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ଓ୍ବେବସାଇଟ୍କୁ ଆକ୍ରମଣ କରିଛନ୍ତି ତଥାପି ସେମାନଙ୍କୁ ବିଶେଷ ସଫଳତା ମିଳିନାହିଁ।
ମହାରାଷ୍ଟ୍ର ସାଇବର ପୋଲିସ ପାକିସ୍ତାନର ୭ଟି ହ୍ୟାକର୍ସ ଗ୍ରୁପକୁ ଚିହ୍ନଟ କରିଛି। ଏହି ସମସ୍ତ ଗ୍ରୁପ ଆଡଭାନ୍ସଡ ପର୍ସିଷ୍ଟେଣ୍ଟ ଥ୍ରେଟ୍ (ଏପିଟି) ଗ୍ରୁପ ଅଟନ୍ତି । ଏହି ୭ଟି ଗ୍ରୁପ ଭାରତ ବିରୋଧରେ ହୋଇଥିବା ଅଧିକାଂଶ ସାଇବର ଆଟାକ ପାଇଁ ଦାୟୀ । ଏହି ଗ୍ରୁପଗୁଡ଼ିକ ଗୋଟେ ସପ୍ତାହ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭାରତୀୟ ଓ୍ବେବସାଇଟ୍କୁ ଆକ୍ରମଣ କରି ସେଥିରୁ ମାତ୍ର ୧୫୦ ଓ୍ବେବସାଇଟକୁ ହ୍ୟାକ କରିବାରେ ସଫଳ ହୋଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି ।