ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ଘନେଇବାରେ ଲାଗିଛି । ପହଲଗାମର ବଦଲା ପରେ ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି । ନିଜକୁ ବିଶ୍ୱ ଆଗରେ ବଳବାନ୍ ଦେଖାଇବାକୁ ଭାରତରେ ବିରୁଦ୍ଧରେ ମିଥ୍ୟା ଖବର ପ୍ରସାରଣ କରୁଛି । ଭାରତକୁ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରି ପ୍ରତିରକ୍ଷା ସିଷ୍ଟମ୍ S-400, ସିରସା ଏବଂ ସୁରତଗଡ଼ ଏୟାରବେସକୁ କ୍ଷତି ପହଁଚାଇଛି ବୋଲି ଦାବି କରିଛି ପାକିସ୍ତାନ। ଯାହାକୁ ମିଥ୍ୟା ବୋଲି ପ୍ରମାଣିତ କରିଛି ବୈଦେଶିକ ବିଭାଗ । ଆଜିର ସାମ୍ବାଦିକ ସମ୍ମିଳନୀରେ ହରିୟାଣା ସିରସାସ୍ଥିତ ବାୟୁସେନା ଏୟାରବେସ୍ ସମ୍ପୂର୍ଣ୍ଣ ଅକ୍ଷତ ରହିଥିବା ବାୟୁସେନା ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି । ଯାହାର ସଦ୍ୟତମ ଫଟୋ ଏବଂ ଭିଜୁଆଲ୍ ସହିତ ପ୍ରମାଣ ଦେଇଛି ବାୟୁସେନା । ଯେଉଁଥିରେ ସିରସା ଏବଂ ସୁରତଗଡ଼ ବାୟୁସେନାର ଆଡ୍ଡାର ରନ୍ ୱେ ସମ୍ପୂର୍ଣ୍ଣ ଅକ୍ଷୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ପାକିସ୍ତାନ ଗତକାଲି ସନ୍ଧ୍ୟା ଓ ରାତିରେ ୨୬ରୁ ଅଧିକ ସ୍ଥାନରେ ଆକ୍ରମଣ କରିଛି ବୋଲି କର୍ଣ୍ଣେଲ୍ ସୋଫିଆ କୁରେସୀ କହିଛନ୍ତି । ପାକିସ୍ତାନ ସେନା ପଶ୍ଚିମ ଓ ଉତ୍ତର ସୀମା ଆକ୍ରମଣ ଗତିବିଧି ଜାରି ରଖିଛି । ପାକିସ୍ତାନ ଭାରତର ପଶ୍ଚିମ ମୋର୍ଚ୍ଚାରେ ବିନା ପ୍ରରୋଚନାରେ ଆକ୍ରମଣ ଆରମ୍ଭ କରିଛି… ଡ୍ରୋନ୍, ଦୂରଗାମୀ ଅସ୍ତ୍ରଶସ୍ତ୍ର, ଲଢ଼ୁଆ ବିମାନ ଏବଂ ହାଇ-ସ୍ପିଡ୍ ମିସାଇଲ୍ ବ୍ୟବହାର କରି ୨୬ ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି । ଉଧମପୁର, ପଠାନକୋଟ, ଆଦମପୁର, ଭୁଜ ଏବଂ ଭଟିଣ୍ଡା ପ୍ରମୁଖ ଭାରତୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିବା ଉଦ୍ୟମ କରିଛି । ବିଳମ୍ବିତ ରାତି ପ୍ରାୟ ୧:୪୦ ସମୟରେ, ପଞ୍ଜାବର ଏକ ବାୟୁସେନା ଘାଟିକୁ ଟାର୍ଗେଟ୍ କରାଯାଇଥିଲା । ଖାଲି ସେତିକି ନୁହେଁ ପାକ୍ ଅତି ନିଚ୍ଚ ସ୍ଥରକୁ ଖସି ଯାଇ ଶ୍ରୀନଗର, ଅବନ୍ତିପୁରା ଏବଂ ଉଧମପୁରରେ ସ୍କୁଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟାର୍ଗେଟ୍ କରିଛି । କିନ୍ତୁ ଏହାର ଦ୍ରୁତ ଓ ରଣନୈତିକ ଜବାବରେ ଭାରତ ସମସ୍ତ ଟାର୍ଗେଟ୍ ଅସଫଳା କରିବାରେ ସକ୍ଷମ ହୋଇଥିଲା । ସବୁଠାରୁ ଚିନ୍ତିତ ବିଷୟ ହେଲା ପାକିସ୍ତାନ ଲାହୋରରୁ ଉଡ଼ାଣ ଭରି ଅନ୍ତରାଷ୍ଟ୍ରୀୟ ସୀମାର ଆକାଶମାର୍ଗକୁ ଢାଲ ଭାବେ ବ୍ୟବହାର କରିଛି ବୋଲି କହିଛନ୍ତି କର୍ଣ୍ଣେଲ୍ ସୋଫିଆ କୁରେସି ।