ଭୁବନେଶ୍ବର: ପଞ୍ଚାୟତ ରାଜନୀତି ଉଷ୍ମ । ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି, ବିଜେଡି ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଏବେଠୁ ପୂରା ଦମ୍ ଲଗାଇଦେଇଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ କେଉଁ ଦଳ ନିଜ କବ୍ଜାରେ ରଖୁଛି ତାହା ଉପରେ ସମସ୍ତଙ୍କ ନଜର।
୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୁକୁଡ଼ାଖଣ୍ଡି ପାଇଁ ନିର୍ବାଚନ ହେବ । ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ଭାପୁର, ବୌଦ୍ଧ ହରଭଙ୍କା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ କରାଯିବ ।
ଏହି ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୨ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୧୧ଟାରୁ ୧୧ଟା ୩୦ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ, ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଆବଶ୍ୟକ ପଡ଼ିଲେ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ମଧ୍ୟରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।