(ରିପୋର୍ଟସ ଟୁଡ଼େ): ପଞ୍ଚୁକର ପାଂଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ । ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁ ଶ୍ରଦ୍ଧାଳୁ ମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଲିକିଆ ବେଶରେ ଦର୍ଶନ ଦେଉଛନ୍ତି । ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗି ରହିଛି । ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ବେଶରେ ସୁନାକିଆ ଡାଳି ଭଳି ଖଂଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ କୁହା ଯାଇଥାଏ । ତେବେ ଭିଡକୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।
ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ । ଏହି ଡାଳି ଓ ଚୂଳରେ ଶୋଲ ଜରିରେ ନିର୍ମିତ ଫୁଲ ଧାଡି କରି ଲଗାଯାଏ । ତାହା ମଝିରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି , ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଂଖ, ଚକ୍ର, ହଳ,ମୂଷଳ ମଧ୍ୟ ଲାଗି କରାଯାଏ । ତେବେ ତିନିଠାକୁର ଅନ୍ୟ ବେଶପରି ସୂବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି ।
ବିଷ୍ଣୁଙ୍କର ଚତୁର୍ଥ ଅବତାର ନୃଂସିହ ଅବତାର । ଲକ୍ଷ୍ମୀନୃସିଂହ ରୂପ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଚତୁର୍ଥ ଅବତାର ନୃସିଂହଙ୍କ ଯୁଗଳ ସମାବେଶ । ଏହି ରୂପରେ ସେ ସ୍ତମ୍ଭରୁ ପ୍ରକାଶ ହୋଇ ହିରଣ୍ୟକଶିପୁ ଭଳି ରାକ୍ଷସର ନିଧନ କରିଥିଲେ । ଏହି ରୂପ ଏକ ଦୁର୍ଲଭ ରୂପ । ଅର୍ଦ୍ଧ ମନୁଷ୍ୟ ଓ ଅର୍ଦ୍ଧ ସିଂହ ରୂପୀ ଏହି ଦେବତା ମନ୍ଦ ଶକ୍ତି ଉପରେ ବିଜୟର ପ୍ରତୀକକୁ ବୁଝାଇଥାଏ । ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ବ୍ରତ ଶେଷ ହେବ । ତେବେ ଏହି ଦିନ ଶ୍ରୀଜୀଉ ରାଜରାଜାଧିଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।