ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ପାର୍ଥିବ ପଟେଲ

0

(ନୂଆଦିଲ୍ଲୀ): ଟିମ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୮ ବର୍ଷର କ୍ରିକେଟ କ୍ୟାରିଅର ମଧ୍ୟରେ ସେ ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳିଛନ୍ତି । ବର୍ତ୍ତମାନ ସେ ୩ଟି ଯାକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ସେ ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ପାର୍ଥିବଙ୍କୁ କେବଳ ଆଇପିଏଲ ଓ ଘରୋଇ ମ୍ୟାଚରେ ଦେଖିବାକୁ ମିଳୁଥିଲା । ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ବେଙ୍ଗାଲୁରୁ ଟିମ ସହ ଦୁବାଇ ଯାଇଥିଲେ ହେଁ ଗୋଟିଏ ହେଲେ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ।
୩୫ ବର୍ଷିୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଗୁଜୁରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଡେବ୍ୟୁ କରିଥିଲେ । ୨୦୦୪ରେ ଟିମ ଇଣ୍ଡିଆରେ ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ସାମିଲ ହେବା ପରେ ପାର୍ଥିବଙ୍କୁ ଆଉ ଖେଳିବାର ସୁଯୋଗ ମିଳିନଥିଲା । ସେ ତାଙ୍କର ଶେଷ ଟେଷ୍ଟ ୨୦୧୮ ମସିହାରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ।

Edited by- Sriharsh Mishra