ନୂଆଦିଲ୍ଲୀ-: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏବେ ଏକ ଅନନ୍ୟ ପଦକ୍ଷେପ ଆରମ୍ଭ କରିଛି । ଏବେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ ଯାତ୍ରୀ । ଏହି ସୁବିଧା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି । ନାନ୍ଦେଡ଼ରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ପର୍ଯ୍ୟନ୍ତ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସରେ ଏକ ଏଟିଏମ୍ ମେସିନ୍ ଲଗାଯାଇଛି ।
ଟ୍ରେନରେ ସ୍ଥାପିତ ହେବାକୁ ଥିବା ଏଟିଏମ୍ ମେସିନର ପରୀକ୍ଷଣ ସମୟରେ, ରେଳ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ଯେ ଚଳନ୍ତା ଟ୍ରେନରେ ଏଟିଏମ୍ ଠିକ୍ ଭାବରେ କାମ କରିପାରିବ କି ନାହିଁ । ନେଟୱାର୍କ ସଂଯୋଗ, ସୁରକ୍ଷା, ଗୋପନୀୟତା, ଯାତ୍ରୀ ସୁବିଧା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଆଯାଉଛି । ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ଏଟିଏମ ଉପରେ ନଜର ରଖାଯାଇଛି । ଏହି ଏଟିଏମରେ କେବଳ ଟଙ୍କା ଉଠାଇ ହେବ ତାହା ନୁହେଁ ବରଂ ଏଥିରେ ଚେକ୍ ବୁକ୍ ମଗାଇବା ଏବଂ ଷ୍ଟେଟମେଣ୍ଟ ପାଇବାରେ ମଧ୍ୟ ସାହାଯ୍ୟ କରିବ । ଯଦି ଅନ୍-ବୋର୍ଡ ଏଟିଏମ୍ ସେବା ଲୋକପ୍ରିୟ ହୁଏ, ତେବେ ଏହାକୁ ଅନ୍ୟ ପ୍ରମୁଖ ଟ୍ରେନଗୁଡ଼ିକରେ ମଧ୍ୟ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।
ଏହି ସେବା ଯୋଗୁଁ ଯାତ୍ରୀମାନଙ୍କୁ ଆବଶ୍ୟକ ସମୟରେ ଟଙ୍କା ଉଠାଇବା ପାଇଁ ଷ୍ଟେସନରେ ଅପେକ୍ଷା କରିବାକୁ ପଡିବ ନାହିଁ । ସେମାନେ ଟ୍ରେନରେ ହିଁ ଆରାମରେ ଟଙ୍କା ଉଠାଇ ପାରିବେ । ଏଟିଏମକୁ ଏକ୍ସପ୍ରେସ ଟ୍ରେନର ଗୋଟିଏ ଏୟାର କଣ୍ଡିସନ କୋଚରେ ଲଗାଯାଇଛି । ଏହାର ସଫଳ ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି । ଟ୍ରେନ ଚାଲିବା ସମୟରେ ଯାତ୍ରୀମାନେ ଏଣିକି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାର ସୁବିଧା ପାଇପାରିବେ। ଭାରତୀୟ ରେଳବାଇର Innovative and Non-Fare Revenue Ideas ଯୋଜନା ଅଧୀନରେ ଏପରି ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ କରାଯାଇଛି ।