ପୁରୀ-: ରାତି ପାହିଲେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ତେବେ ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କ କରାଯିବ ଗୁପ୍ତସେବା। ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନିତୀ ବନ୍ଦ ରହିବ। ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଚିତ୍ରକର ସାହି ଓ ବାସେଳୀ ସାହିରେ ଚିତ୍ରକର ସେବାୟତ ମାନେ ଅତି ନିଷ୍ଠା, ଭକ୍ତି, ସମର୍ପଣ ମନୋଭାବର ସହ ପ୍ରସ୍ତୁତ କରୁଛନ୍ତି ପଟିଦିଅଁ।
ସ୍ନାନବେଦୀରୁ ଠାକୁରଙ୍କ ବାହୁଡା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ଚିତ୍ରକରଙ୍କ ଘରକୁ ଯାଇଥାଏ। ଚିତ୍ରକର ସେବାୟତଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସାରିବା ପରେ ଘଣ୍ଟ, ଛତ୍ରୀ, କାହାଳୀ ସହ ଶ୍ରୀମନ୍ଦିରକୁ ପଟ୍ଟି ଦିଅଁ ବିଜେ କରିଥାନ୍ତି। ଅଣସର ସମୟରେ ଭକ୍ତ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ପଟିଦିଅଁ ରୂପେ ଦର୍ଶନ କରିଥାନ୍ତି। ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡ଼ା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ ।