ତ୍ରିପୁରା : ଆଜି ତ୍ରିପୁରା ବିଧାନ ସଭା ନିର୍ବାଚନ । ସକାଳୁ ଲମ୍ବାଧାଡିରେ ଠିଆ ହୋଇ ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ସକାଳ ୭ଟାରୁଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ଯାଏଁ ଚାଲୁ ରହିବ । ତ୍ରିପୁରାର ମୋଟ ୨୮.୧୩ ଲକ୍ଷ ଭୋଟର ଆଜି ନିଜ ନେତା ବାଛିବେ। ମୋଟ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ ବାକ୍ସରେ ସିଲ୍ ହେବ । ଏଥିନିମନ୍ତେ ୩, ୩୩୭ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୧୧ ଶହ ସମ୍ବେଦନଶୀଳ ବୁଥ୍ ବୋଲି ଚିହ୍ନଟ ହୋଇଥିବାରୁ କଡ଼ାକଡ଼ି ଭାବେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛିା ୨୦୧୮ରେ ପ୍ରଥମ ଥର ପାଇଁ ବିଜେପି ୩୫ ବର୍ଷର ବାମ ଗଡ଼କୁ ଭାଙ୍ଗି ଧସେଇ ପଶିଥିଲା । ଏଥରର ନିର୍ବାଚନରେ ବିଜେପି-IPFT ସହ ମେଣ୍ଟରେ ଲଢ଼ୁଥିବା ବେଳେ କଂଗ୍ରେସ ବାମ ଦଳ ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛିା ତାସହ ଟିଏମସି ବି କଡ଼ା ଟକ୍କର ଦେଉଛିା ତେଣୁ ଏଥରର ନିର୍ବାଚନ ସରକାର ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଶାସକ ବିଜେପି ନିଜ ଗଡ଼ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଗାଦି ଛଡ଼ାଇ ନେବା ପାଇଁ ବାମ ଓ କଂଗ୍ରେସ ହାତ ମିଳାଇଛନ୍ତି । ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରାବାସୀ କାହାକୁ ନିଜ ନେତା ରୂପେ ଚୟନ କରିଛନ୍ତି। ଚଳିତ ନିର୍ବାଚନରେ ସ୍ପଷ୍ଟ ଜନମତ ପାଇ ପୁଣିଥରେ କ୍ଷମତାସୀନ ହେବା ବିଜେପି ପାଇଁ ବଡ ଚାଲେଞ୍ଜ ।