ଶ୍ରୀଅଙ୍ଗ ଫିଟା ନୀତି ପରେ ଲାଗି ହେବ ଫୁଲୁରି ତେଲ

0

ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ଆଜି ଅଣସର ଘରେ ପଞ୍ଚମ ଦିବସ । ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ଓ ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରି ତେଲ ଲାଗି ହେବ । ଏନେଇ ବଡଓଡିଆ ମଠ ପକ୍ଷରୁ ତେଲ ପ୍ରସ୍ତୁତି ଚାଲିଛି । ମଧ୍ୟାହ୍ନ ଧୂପ ପରେ ଫୁଲୁରି ତେଲ ଶ୍ରୀମନ୍ଦିରକୁ ଯିବା ସହ ଦଇତାପତି ସେବକ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ । ପ୍ରତି ବର୍ଷ ବଡ ଓଡିଆ ମଠ ପକ୍ଷରୁ ତେଲ ପ୍ରସ୍ତୁତି ଚାଲିଛି । ଦଇତାପତି ସେବକ ମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ଜ୍ୱର କମାଇବା ପାଇଁ ଔଷଧୀୟ ତୈଳ ପ୍ରଲେପ ଭାବେ ବ୍ୟବହାର କରନ୍ତି । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଫୁଲୁରି ତେଲ ଯୋଗାଇ ଆସୁଛି । ଘଣା ପେଡା ରାଶି ତେଲରେ ଜୁଇ ଜାଇ, ମାଳତୀ, କେତକ, ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗଧାନ ଓ ବେଣାଚେର ପରି ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ଜ୍ୟୋଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଔଷଧୀୟ ତେଲକୁ ମଠ ମହନ୍ତ ମାଟି ତଳୁ କାଢି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖିଥାନ୍ତି । ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି ।