ଓଡିଶା: ୨୦୧୬ ରେ ଶିକ୍ଷକ ନିଯୁକ୍ତି ବନ୍ଦ ରହିଥିବାବେଳେ ଏବେ ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନା ଭିତ୍ତିକ ନିଯୁକ୍ତି ଦିଆଯିବ । ବିଂଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ । ତେବେ ଏହି ଶିକ୍ଷକ ନିଯୁକ୍ତି ନେଇ ବିବାଦ ଦେଖା ଦେଇଛି । ଠିକା ଶିକ୍ଷକ ନିଯୁକ୍ତିକୁ ନିନ୍ଦା କରିଛି ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀଙ୍କ ଏପରି ଐତିହାସିକ ନିଷ୍ପତ୍ତିକୁ ନେଇ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ହାଇସ୍କୁଲ କ୍ଷେତ୍ରରେ କଣ ନିୟମ ଥିଲା, କଣ ହୋଇଛି ତାକୁ ସମସ୍ତେ ଜାଣିଛନ୍ତି । ଯାହା ସରକାରଙ୍କ ନୀତିଗତ ନିଷ୍ପତ୍ତି ହେବ ସେହି ଅନୁସାରେ କାମ ହେବ । ଅନ୍ୟପଟେ ବାର୍ଷିକିଆ ଏଗ୍ରିମେଣ୍ଟ ଆଧାରରେ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ କଂଗ୍ରେସ ଓ ବିଜେପି ନିନ୍ଦା କରିଛନ୍ତି । କଂଗ୍ରେସ କହିଛି ଏହା ଏକ ଦୁର୍ଭାଗ୍ୟ ଜନକ କଥା। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଠିକା ନିଯୁକ୍ତି ଓ ଆଉଟ ସୋର୍ସିଙ୍ଗ ଉଠିଗଲା । ଯାହାକୁ ସମସ୍ତେ ସ୍ୱାଗତ କରିଥିଲେ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ଲକ୍ଷେ ପୋଷ୍ଟ ଖାଲି ଅଛି।ହେଲେ ମାତ୍ର ୨୦ହଜାର ପୋଷ୍ଟ ବାହାର କରିଛନ୍ତି। ଏ ନିଯୁକ୍ତି କେବଳ ନିର୍ବାଚନ ପାଇଁ। ନିର୍ବାଚନ ସରିଲେ ତାଙ୍କୁ ଚାକିରିରୁ ବିଦା କରିଦେବେ। ହେଲେ କାହିଁକି ଡାଇରେକ୍ଟ ନିଯୁକ୍ତି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଆଉ କହିଛି ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସହ ଖେଳୁଛନ୍ତି। ସେପଟେ ବାର୍ଷିକିଆ ଏଗ୍ରିମେଣ୍ଟ ଆଧାରରେ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । କହିଛି କେନ୍ଦ୍ର ଯେଉଁ ଟଙ୍କା ଦିଏ ରାଜ୍ୟ ଶିକ୍ଷା ବିଭାଗକୁ ସେଥିରେ କେଉଁଠି ଠିକା ନିଯୁକ୍ତିର ବ୍ୟବସ୍ଥା ନଥାଏ । ରାଜ୍ୟ ସରକାର ବିଭିନ୍ନ ପ୍ରକାର ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରିଛନ୍ତି ।