ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତ

0

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣାରେ ୬୨ ଜଣ ପ୍ରାଣ ହରାଇଛନ୍ତି । ଆକାଶ ମାର୍ଗରେ ନିୟନ୍ତ୍ରଣ ହରାଇ ବିମାନରେ ଲାଗିଲା ନିଆଁ ଲାଗିଯିବା ପରେ ଏହି ଅଘଟଣ ଘଟିଛି । ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।  ଫଳରେ ବିମାନରେ ଥିବା ପାଇଲଟଙ୍କ ସମେତ ୬୨ ଜଣଙ୍କର ମୃତ୍ୟୁ ହୋଇଛି ।

ବୋଏପାସ୍ ATR-72 ବିମାନଟି ଗତକାଲି ପୂର୍ବାହ୍ନ ୧୧ଟା ୩୦ରେ  କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।

ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଲା । ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା ।

ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍‌ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।