କୋଟା: ନିଟ୍ ପରୀକ୍ଷାକୁ ନେଇ ସୁପ୍ରିମ୍କୋର୍ଟରେ ମାମଲା | ନିଟ୍ ପରୀକ୍ଷା ଆଉ ଥରେ କରାଇବା କିମ୍ବା ଗ୍ରେସ୍ ମାର୍କ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବି କରି ମୋସନ ଏଜୁକେସନର ପ୍ରତିଷ୍ଠାତା ଓ ସିଇଓ ନୀତୀନ ବିଜୟଙ୍କ ମାଧ୍ୟମରେ ଦେଶର ୨୦ ହଜାର ଛାତ୍ରଛାତ୍ରୀ ସୁପ୍ରିମ୍କୋର୍ଟରେ ଏକ ମାମଲା ରୁଜୁ କରିବାକୁ ଯାଉଛନ୍ତି। ଆସନ୍ତାକାଲି ଏହି ମାମଲା କୋର୍ଟରେ ଦାଖଲ କରାଯିବ। ଶ୍ରୀ ବିଜୟ କହିଛନ୍ତି ଯେ ନିଟ୍ରେ ହୋଇଥିବା ଅନିୟମିତତାକୁ ନେଇ ମୋସନ ଆରମ୍ଭ କରିଥିବା ଡିଜିଟାଲ୍ ସତ୍ୟାଗ୍ରହରେ ୨୦ ହଜାର ଛାତ୍ରଛାତ୍ରୀ ଯୋଡ଼ିହୋଇଛନ୍ତି।
ଛାତ୍ରଛାତ୍ରୀମାନେ ଏହି ମାମଲା ଜରିଆରେ କେତେକ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମ ରୢାଙ୍କରେ କିଭଳି ୬୭ ଛାତ୍ରଛାତ୍ରୀ ରହିଲେ? ଛାତ୍ରଛାତ୍ରୀମାନଙ୍କୁ ୭୨୦ ନମ୍ବରରୁ ୭୧୮, ୭୧୯ ନମ୍ବର କିଭଳି ମିଳିଲା? ପରୀକ୍ଷା ଫଳ ଜୁନ୍ ୧୪ରେ ପ୍ରକାଶ ପାଇବ ବୋଲି ଏନ୍ଟିଏ କହିଥିବା ବେଳେ ୧୦ ଦିନ ପୂର୍ବରୁ କିଭଳି ତାହା ଜାରି କରାଗଲା। ନିଟ୍ କଟ୍ ଅଫ୍ରେ ୪୫ ଅଙ୍କ କାହିଁକି ବୃଦ୍ଧି କରାଯାଇଛି? ଗ୍ରେସ୍ ମାର୍କ ଉପରେ ମଧ୍ୟ ସେମାନେ ଆପତ୍ତି ଉଠାଇଛନ୍ତି। ନୀତୀନ କହିଛନ୍ତି ଯେ ଗୋଟିଏ ସେଣ୍ଟରର ୮ ଜଣ ଛାତ୍ରଛାତ୍ରୀ କିଭଳି ପ୍ରଥମ ରୢାଙ୍କ ହାସଲ କଲେ? ଗ୍ରେସ ନମ୍ବର ଦେବା ଲାଗି ଏନ୍ଟିଏ ପାଖରେ ଠୋସ୍ ଆଧାର ନାହିଁ ବୋଲି ସେ କହିଛନ୍ତି।