ସରିଲା +୨ ପରୀକ୍ଷା । ଏପ୍ରିଲ ୨ ରୁ ଆରମ୍ଭ ହେବ ଖାତା ଦେଖା । ମେ ୧୫ରେ ବାହାରିବ ରେଜଲ୍ଟ । ପରୀକ୍ଷା ଖାତା ମୁଲ୍ୟାଙ୍କନ କରିବା ପାଇଁ ନିୟୋଜିତ ଥିବା ଶିକ୍ଷକଙ୍କ ଉପରେ ରହିବ ନଜର । ପ୍ରାଥମିକ ପର୍ୟ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି । ଏକ୍ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ ଶିକ୍ଷକ । ତେବେ ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପରୀକ୍ଷା ବେଳେ କପି କରି ଧରା ପଡିଥିଲେ ୩୦୦ ଜଣ ଛାତ୍ରଛାତ୍ରୀ ।