(ବୁର୍ଲା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବା ବେଳେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଥିଲେ । ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ । ଏହି କ୍ୟାମ୍ପସ ୨୦୦ ଏକର ଜାଗାରେ ନିର୍ମାଣ ହେବ । ଏଥିପାଇ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏପ୍ରିଲ ୨୦୨୨ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦିନ ଠାରୁ ପ୍ରଥମେ ଘରୋଇ କଲେଜ ଏବଂ ପରେ ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟିର ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି । ଆଜି ଏହାର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱରେ ସମ୍ବଲପୁର ଟେକ୍ସଟାଇଲର ସ୍ୱତନ୍ତ୍ର ପରିଚୟ ରହିଛି । ଆମକୁ ସମୟ ସହ ନୁହେଁ ବରଂ ସମୟ ପୂର୍ବରୁ କାମ ସାରିବାକୁ ପଡିବ । ବିକାଶ ପାଇଁ ଆମକୁ ସର୍ଟ ଟର୍ମ ନୁହେଁ, ବରଂ ଲଙ୍ଗ ଟର୍ମ ପଲିସିର ଆବଶ୍ୟକତା ରହଛି । ମ୍ୟାନେଜମେଣ୍ଟ କ୍ଷେତ୍ରରେ ଓଡ଼ିଶା ଆଗାମୀ ଦିନରେ ପରିଚୟ ସୃଷ୍ଟି କରିବ । ଆଜିର ଷ୍ଟାର୍ଟଅପ୍ କାଲିର ମଲ୍ଟି ନ୍ୟାସନାଲ କମ୍ପାନୀ ପାଲଟିବ । ସମ୍ବଲପୁରରେ ସବୁ କିଛି ଭରପୁର ରହିଛି । ପର୍ଯ୍ୟଟନ ପାଇଁ ସମ୍ବଲପୁର ପ୍ରକୃଷ୍ଟ ସ୍ଥାନ ବୋଲି ବୋଲି ପ୍ରଧାନମନ୍ତ୍ରୀ ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୂଆଲରେ ଯୋଗ ଦେଇ ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଆଇଆଇଏମ୍ ସମ୍ୱଲପୁର ୨୦୧୫ରେ ପ୍ରତିଷ୍ଠା ହୋଇଥିଲା । ଇତିମଧ୍ୟରେ ଏହି ଅନୁଷ୍ଠାନ ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ନିଜ ଖ୍ୟାତି ଅର୍ଜନ କରିପାରିଛି । ମାତ୍ର ୫ ବର୍ଷ ମଧ୍ୟରେ ଏହା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଏକ ସକାରାତ୍ମକ ଛାପ ଛାଡ଼ିପାରିଛି । ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତରେ ଶିକ୍ଷାର ହବ ହେବାକୁ ଯାଉଛି । ଏଥିପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଆଗକୁ ରଜ୍ୟାରେ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସମ୍ବଲପୁର ଆଇଆଇଏମ ୨୦୧୫ରୁ ପ୍ରତିଷ୍ଠା ହୋଇଥିବା ବେଳେ ଏବେ ଏହା ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି । ନିଜସ୍ୱ କ୍ୟାମ୍ପସ ହେଲେ ଅଧିକ ଛାତ୍ରଛାତ୍ରୀ ଏଠାକୁ ଆସିବେ ବୋଲି ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ ଏବେ ୨୦ଟି ଆଇଆଇଏମ କଲେଜ ରହିଛି । ଏଗୁଡିକରେ ମ୍ୟାନେଜମେଣ୍ଟର ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି ।