ଭୂବନେଶ୍ୱର: ହାୱଡ଼ାରୁ ପୁରୀ ମଧ୍ୟରେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ୍ । ଆସନ୍ତା ୧୫ ତାରିଖରେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ୍ । ଏନେଇ ସ୍ପଷ୍ଟ କରାଯାଇଛି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।ଏହି କାର୍ୟ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ ।
ଏପ୍ରିଲ୍ ୨୮ରେ ହାୱଡ଼ାରୁ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ କରାଯାଇଥିଲା । ଦୁଇ ଦିନ ପରେ ହାୱଡ଼ାରୁ ଭଦ୍ରକ ଯାଏ ପୁଣି ଥରେ ହୋଇଥିଲା ଟ୍ରାଏଲ୍ ରନ୍ । ବନ୍ଦେ ଭାରତ ଏକ୍ସପ୍ରେସ୍ ଖଡ଼ଗପୁର, ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ରହଣୀ କରିବ । ଏହାଦ୍ୱାରା ପୁରୀକୁ ପର୍ୟ୍ୟଟକଙ୍କ ସହ ଶ୍ରଦ୍ଧାଳୁ ସହଜରେ ଆସି ପାରିବେ ।
ଏହି ଟ୍ରେନର କୋଚରେ ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ରହିଛି, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଏଗଜିକ୍ୟୁଟିଭ୍ କ୍ଲାସର ରୋଟେଶନାଲ୍ ସିଟ୍ ଆଦି ଅତ୍ୟାଧୁନିକ ସେବା ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୦୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ୧୮୦ କି.ମି ପ୍ରତି ଘଣ୍ଟା ବେଗରେ ଦୌଡୁଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ।