(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ସ୍ୱର ବଦଳାଇଲେ ମାଲକାନଗିରି ମୋଟୁ ବାସିନ୍ଦା । ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଥିବା ମୋଟୁ ବାସିନ୍ଦାଙ୍କ ଏବେ ସେମାନଙ୍କର ଦାବି ବଦଳାଇଛନ୍ତି । ଆଉ ତାହା ହେଉଛି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଥଇଥାନ କରାଯାଉ ।
ସୂଚନା ଯେ, ପୋଲାଭରମ ପ୍ରକଳ୍ପକୁ ୪ଟି ରାଜ୍ୟର ବିରୋଧ ସତ୍ୱେ ପ୍ରକଳ୍ପ କାମ ଆଗେଇ ଚାଲିଛି । ଆଉ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଇ ଥିବାରୁ କାମ ବନ୍ଦ ହେବାର ସମ୍ଭାବନା ମଧ୍ୟ ନାହିଁ । କିନ୍ତୁ ମୋଟୁ ଅଞ୍ଚଳବାସୀ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଅଭିଶାପ ସଦୃଶ ହୋଇଯାଇଛି । କାରଣ ପୋଲାଭରମ ବନ୍ଧର ପଛୁଆ ପାଣି ସିଲେରୁ ଓ ସାବେରୀ ନଦୀରେ ପ୍ରତିବର୍ଷ ବନ୍ୟା ଆଣୁଛି ଏବଂ ଏହି ମୋଟୁ ଅଞ୍ଚଳ ଜଳବନ୍ଦୀ ହୋଇଯାଉଛି । ଏଥର ବର୍ଷା ଟିକେ ଅଧିକ ହୋଇଯିବାରୁ ମାଲକାନଗିରିରୁ ପ୍ରାୟ ୧୦୦ କିଲୋମିଟର ଦୂର ଏବଂ ଆନ୍ଧ୍ର ସୀମାନ୍ତରେ ଥିବା ଏହି ଅଞ୍ଚଳରେ ପୋଲାଭରମ ବନ୍ଧର ପ୍ରଭାବ ସ୍ପଷ୍ଟ ଭାବେ ବାରି ହୋଇଛି । ଏ ପ୍ରକାର ପରିସ୍ଥିତି ପରେ ଏମାନେ ବରଂ ବିସ୍ଥାପିତ ହୋଇଯିବାକୁ ଅଧିକ ଭଲ ମନେକରୁଛନ୍ତି । ଆଉ ଜମି ବଦଳରେ ଜମି, ଘର ବଦଳରେ ଘର ଓ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ମୋଟୁ ବାସିନ୍ଦା । ତେଣୁ ଏବେ ପ୍ରକଳ୍ପ ବନ୍ଦ ଦାବିରୁ ଓହରି ସୁରକ୍ଷିତ ସ୍ଥାନକୁ ଥଇଥାନ କରିବା ଲାଗି ଦାବି ରଖିଛନ୍ତି ।