କଟକ: କଟକ ଚୌଦ୍ୱାର ଥାନା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । କବଜାକୁ ଆସିଛି ୬ ଜଣିଆ ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନ ହେବ ଚୌଦ୍ୱାର ଏବଂ ଜଗତପୁର ଅଞ୍ଚଳରେ ଲୁଟତରାଜ କରୁଥିବା କିଛି ଲୁଟେରାଙ୍କୁ ଆଜି ପୋଲିସ କାବୁ କରିଛି । ଘରେ କେହି ନଥିବା ବେଳେ ଏମାନେ ଘରେ ପଶି ତାଲାକାଟି ଘରୁ ସୁନା ଅଳଙ୍କାର ସହିତ ଦାମୀ ଜିନିଷଗୁଡିକୁ ଏମାନେ ଲୁଟି ନେଇଥାନ୍ତି । ଗତ ୨୮ ତାରିଖରେ ମନୋଜ କୁମାର ବରାଳଙ୍କ ଘରେ ମଧ୍ୟ ଲୁଟେରାମାନେ ଲୁଟ କରି ନେଇଥିଲେ । ଏନେଇ ମନୋଜ ଅଭିଯୋଗ କରିବା ପରେ ପୋଲିସ ଖୋଳତାଡ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଚିକୁ ଔରଫ ଅନିଲ କୁମାର ବେହେରାକୁ ଗିରଫ କରିବା ସହ ଅନ୍ୟ ୫ ଜଣ ସାଥୀମାନଭ୍କୁ ମଧ୍ୟ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୮ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ଲାପଟପ ଏବଂ ତାଲା କଟା କଟର ଜବତ କରିଛି ପୋଲିସ । ଏ ନେଇ ଅତିରିକ୍ତ ଡିସିପି ପ୍ରମୋଦ ରଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୂର୍ବରୁ ଚିକୁ ଚେନ ଲୁଟ କରିବାରେ ମାହିର ଥିଲା । ଯେଉଁଥିପାଇଁ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିଲା ସେ । କିନ୍ତୁ ସୁସ୍ଥ ହେବା ପରେ ପୁଣି ନିଜ କଳାସାମ୍ରାଜ୍ୟକୁ ବଢାଇବା ପାଇଁ ଚେଷ୍ଟା କରୁଛି ଚିକୁ । ଜାମିନରେ ଆସିବା ପରେ ଚେନ ସହିତ ବିଭିନ୍ନ ଘରୁ ମଧ୍ୟ ଲୁଟ କରିବା ଆରମ୍ଭ କରିଥିଲା । ସେହିପରି ଚିକୁ ସହିତ ସାମିଲ ଥିବା ଅନ୍ୟ ଲୁଟେରାମାନଙ୍କ ନାମରେ ମଧ୍ୟ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରୁଜୁ ରହିଥିବା ଡିସିପି ସୂଚନା ଦେଇଛନ୍ତି । ଗ୍ୟାଙ୍ଗ ସମ୍ବନ୍ଧରେ ଅଧିକ ଖୋଳତାଡ ଚଳାଇଛି ପୋଲିସ । ଆବଶ୍ୟକ ପଡିଲେ ମାଷ୍ଟର ମାଇଣ୍ଡ ଚିକୁ ଏବଂ ସାଥୀଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି ପୋଲିସ କହିଛି ।