(ଆଦର୍ଶ ରାଉତ) ଭୁବନେଶ୍ୱର: ପୁଲିସ ହୁଅନ୍ତୁ ବା ସିପାହୀ, ସେମାନଙ୍କ ପାଇଁ ସେମାନଙ୍କ ବର୍ଦ୍ଦି ହେଉଛି ସବୁଠାରୁ ମୂଲ୍ୟବାନ । ନିଜ ଜୀବନଠୁ ମଧ୍ୟ । ବର୍ଦ୍ଦି କହିଲେ ସେମାନଙ୍କ ପ୍ୟାଣ୍ଟ, ସାର୍ଟ, ଟୋପି, ବେଲ୍ଟକୁ ବୁଝାଇଥାଏ । ଶରୀରରେ ବର୍ଦ୍ଦି ଥିଲେ ସାଧାରଣ ଜନତା ମନରେ ସମ୍ମାନ ଭରିଯାଏ ବର୍ଦ୍ଦିଧାରୀଙ୍କ ପ୍ରତି । ମୁଣ୍ଡ ଆପଣା ଛାଁ ନଇଁଯାଏ ତାଙ୍କ ଆଗରେ । ଏହି ବର୍ଦ୍ଦି ପାଇଁ ଜୀବନକୁ ବାଜି ଲଗାଇବାକୁ ପଛାନ୍ତି ନାହିଁ ପୁଲିସ ଓ ସିପାହୀ । କିନ୍ତୁ ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କ ବର୍ଦ୍ଦି ପ୍ରତି ଅସମ୍ନାନ ବିଶ୍ୱାସ ବାହାରେ । ଟୋପି ପୁଣି ମାଟି ଉପରେ ।
ଏବେ ଦେଶରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି । ତେଣୁ ପ୍ରତ୍ୟେକ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଏନଆଇଏ ଡିଜିଙ୍କ ସହ ବହୁ ବରିଷ୍ଠ ଏନଆଇଏ ଅଧିକାରୀ, ପୁଲିସ ଅଧିକାରୀ ଓ କ୍ରାଇମ ବ୍ରାଞ୍ଚ ଅଧିକାରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଦେଖିବାକୁ ମଳିଥିଲା ଏକ ବିରଳ ଦୃଶ୍ୟ । ବଡ ବଡ ପୁଲିସ ବାବୁମାନଙ୍କ ଟୋପି ସେମାନଙ୍କ ଶିରମଣ୍ଡନ କରିବା ପରିବର୍ତ୍ତେ ଚଟାଣ ଉପରେ ରଖାଯାଇଥିଲା । ଟୋପି ପୁଲିସ ପାଇଁ ସର୍ବସ୍ୱ ହୋଇଥିବା ବେଳେ ତାକୁ ଏପରି ଚଟାଣ ଉପରେ ରଖିବାକୁ ନେଇ ସେଠାକୁ ଯାଇଥିବା ସାମ୍ବାଦିକ ନାପସନ୍ଦ କରିଛନ୍ତି । ମିଟିଂରେ ବସିଥିବା ବେଳେ ଯଦି ଟୋପି ନ ପିନ୍ଧିଲେ ଚଳିବ, ତେବେ ଟୋପିକୁ ହାତରେ ଧରାଯାଇ ପାରିଥାନ୍ତା । ନଚେତ ଏକ ଟେବୁଲ ପକାଇ ତା ଉପରେ ରଖାଯାଇ ପାରିଥାନ୍ତା । କିନ୍ତୁ ଆମ ବାବୁମାନେ ଏହାକୁ ଚଟାଣ ଉପରେ ରଖିଦେଲେ । ସତେ ଯେମିତି ଟୋପିର ଓଜନରେ ଦବିଯାଉଥିଲେ । ତେଣୁ ଟୋପିକୁ କାଢି ତଳେ ପକାଇଦେଲେ । ଅବଶ୍ୟ କିଏ କାଗଜ ଉପରେ ତ ପୁଣି କିଏ ପଲିଥିନ ଉପରେ ରଖିଥିଲେ । ଏହା ଖାଲି ଟୋପି ପ୍ରତି ନୁହେଁ, ପୁରା ସିଷ୍ଟମ, ପ୍ରଶାସନ ଓ ସରକାର ପ୍ରତି ଅସମ୍ମାନ ଓ ତାତ୍ସଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପ୍ରତି ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।