ସୁନ୍ଦରଗଡ଼-: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ଟେନସା ସି ବ୍ଲକରେ ପାରିବାରିକ କଳହ ସମାଧାନ କରିବାକୁ ଯାଇଥିବା ବେଳେ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ଛୁରା ମାଡ଼ । ଆହତ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ତୁରନ୍ତ ଟେନସା ହସ୍ପିଟାଲକୁ ପଠାଯାଇଥିଲା, ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ପରିବାରକୁ ଅଟକ ରଖାଯିବା ସହ ଆକ୍ରମଣକାରୀକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚାନ ଅନୁଯାୟୀ, ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀ ରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ । ଛୁରୀମାଡ଼ ଘଟଣା ବିଷୟରେ ସୂଚନା ପାଇବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ଚିକିତ୍ସା ପାଇଁ କନଷ୍ଟେବଳମାନଙ୍କୁ ପ୍ରଥମେ ଟେନସା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ, ଏବଂ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅନ୍ୟପକ୍ଷରେ ପୋଲିସ ସୂଚନା ଦେଇଛି ଯେ ଉଭୟ ଅଭିଯୁକ୍ତ ପରିବାରକୁ ପଚରାଉଚରା ପାଇଁ ଅଟକ ରଖାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।