ମଶାଣିରେ ପହଞ୍ଚି ଜଳୁଥିବା ଜୁଇରୁ ମୃତ ଦେହକୁ ଉଠାଇଲା ପୋଲିସ୍‌

0

ବ୍ରହ୍ମପୁର : ମଶାଣିରେ ଜଳୁଥିଲା ଜୁଇ, କିନ୍ତୁ ପୋଲିସ୍ ପହଞ୍ଚି ଜୁଇରୁ ଶବକୁ ଉଠାଇନେଲା । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଗୌତମୀ ଗାଁ ରେ । ଗାଁ ମଶାଣିରେ ଜଣେ ମହିଳାଙ୍କ ଜୁଇ ଜଳୁଥିବା ବେଳେ ବ୍ରହ୍ମପୁର ସଦର ଥାନା ପୁଲିସ୍ ପହଞ୍ଚି ଜୁଇ ଲିଭାଇ ଶବ ଉଠାଇ ଆଣିଛି । ଏହାପରେ ସେହି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ୍ ଅଭଳି ଶବ ଉଠାଇନେବାର କାରଣ ହେଉଛି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ ।
ସୂଚନାନୁସାରେ, ବ୍ରହ୍ମପୁର ସଦର ଥାନା ଗୌତମୀ ଗାଁର ଏସ୍. ମୁକୁନ୍ଦ ଦୋରାଙ୍କ ପୁଅ ଏସ୍. ଲୁଲୁ କୁମାର ଦୋରା ଚାକିରି କରାଇ ଦେବାକୁ କହି ଅନେକ ଚାକିରି ଆଶାୟୀଙ୍କ ପାଖରୁ ଟଙ୍କା ନେଇଥିଲେ। କିନ୍ତୁ ଚାକିରି ଦେଇନଥିଲେ କି ନେଇଥିବା ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ଚାକିରି ଆଶାୟୀମାନେ ବାରମ୍ୱାର ଏସ୍. ଲୁଲୁ କୁମାରଙ୍କ ଘରକୁ ଆସୁଥିଲେ ଟଙ୍କା ଫେରି ପାଇବାକୁ। ହେଲେ ଏସ୍. ଲୁଲୁ କୁମାର ଘରେ ରହୁନଥିବାରୁ ଆଶାୟୀମାନେ ନିରାଶ ହେବା ସହ ତାଙ୍କ ବାପା ମାଆ ଙ୍କୁ ଅନେକ କଥା ଶୁଣାଉଥିଲେ । ଆଉ ପୁଅର ଏଭଳି କୁକର୍ମ ପାଇଁ ବାପା ମାଆ ଉଭୟ ବାରମ୍ବାର ଅପମାନିତ ହେଉଥିଲେ । ଯାହାକୁ ସହିନପାରି ଉଭୟ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଥିଲେ । ତେବେ ଏଥିରେ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।