ନୂଆଦିଲ୍ଲୀ: ୨୬ ଜାନୁଆରୀ, ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ପୁଲିସକୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଚାଷୀଙ୍କ ଟ୍ରାକ୍ଟର ରାଲି ଆଇନ୍ ଶୃଙ୍ଖଳା ସହ ଜଡିତ ଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି। ଦିଲ୍ଲୀ ପୁଲିସ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବ।
ତେବେ ଶୁଣାଣି କାଳରେ ପ୍ରଧାନ ବିଚାପତି ଆହୁରି କହିଛନ୍ତି, ଦିଲ୍ଲୀରେ ପ୍ରବେଶର ଅନୁମତି କାହାକୁ ଦିଆଯିବା ଉଚିତ ତାର ନିର୍ଦ୍ଧାରଣ କାମ ପୁଲିସର । ଆମେ ଏଥିରେ ହସ୍ତକ୍ଷେପ କରିପାରିବୁ ନାହିଁ । ଦିଲ୍ଲୀ ପୁଲିସ କ’ଣ ନିଜ କ୍ଷମତା କଥା ଜାଣିନି ଯେ କୋର୍ଟ ପୁଲିସର କ୍ଷମତା ନିର୍ଦ୍ଧାରଣ କରିବେ ।
ଦିଲ୍ଲୀର ବିଭିନ୍ନ ସୀମାରେ ୫୪ ଦିନ ହେବ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଚାଷୀ ରାଜଧାନୀରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଗଣତନ୍ତ୍ର ଦିବସ ବେଳେ ତିନି କୃଷି ଆଇନକୁ ବିରୋଧ କରିବାକୁ ଯାଇ ଟ୍ରାକ୍ଟର ରାଲି ପାଇଁ ଅନୁମତି ନଦେବାକୁ ଗୋଟିଏ ପଟେ ଆବେଦନ ହୋଇଥିଲା। ଅନ୍ୟପଟେ ଦିଲ୍ଲୀର ରାମଲୀଳା ପଡ଼ିଆରେ ରାଲି ପାଇଁ ଅନୁମତି ମାଗିଛନ୍ତି ଚାଷୀ।