ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ରାଜ୍ୟ ରାଜନୀତି ସରଗରମ । ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି ଖୁବଶୀଘ୍ର ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବ ନାହିଁ, କି ସେମାନେ ଚାହିଁଲେ ବି ରଖି ପାରିବେ ନାହିଁ ବୋଲି ବୟାନ୍ ଦେଇଛନ୍ତି । ବିଜେପି ହେଉଛି ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ, ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁପ୍ରିମୋଙ୍କୁ କେହି ଦେଖା କରିପାରିବେ ନାହିଁ, ପାଣ୍ଡିଆନ୍ ହିଁ ସର୍ବେସର୍ବା।
କେବଳ ଏତିକି ନୁହେଁ ଅରବିନ୍ଦ ଢ଼ାଲି କହିଛନ୍ତି, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା। ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି। ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ।
ଅନ୍ୟପଟେ ମମତା ମହାନ୍ତ ବିଜେଡି ଛାଡି ବିଜେପିକୁ ଯିବା ପରେ ଶଙ୍ଖ ଦଳରେ ତୀବ୍ର ହେଲାଣି ବିବାଦ। ଢାଲିଙ୍କ ଏହି ବୟାନକୁ ଇଙ୍ଗିତରେ ସମର୍ଥନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସେ କହିଛନ୍ତି ଦଳର ଆମୂଳଚୂଳ ସଂଗଠନକୁ ଠିକ୍ କରାନଗଲେ ଆଗକୁ ବଡ଼ ଅଘଟଣ ଘଟିବ। ଅନ୍ୟପଟେ ବିଜେଡି ନିଜ ଗୋଷ୍ଠୀ କନ୍ଦଳକୁ ନେଇ ଅଡୁଆରେ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦଳୀୟ ନେତା ଉମା ସାମନ୍ତରାୟ।