କଣିହାଁରେ ପାଉଁଶ ବର୍ଷା: ନିଦା ବିଷ୍ଣୁ ସାଜିଛି ପ୍ରର୍ଦୁଷଣ ବିଭାଗ

0

(ଜ୍ୟୋତିରଞ୍ଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର ସମଗ୍ର ଗ୍ରାମାଞ୍ଚଳର ଚାଷ ଜମିି ଓ ଘରେ ପାଉଁଶ ପାଣିରେ ଆଛାଦିତ ହୋଇ ଲୋକେ ଆକ୍ତାମାକ୍ତା ପରିସ୍ଥିତି ର ସମ୍ମୁଖିନ ହେଉଛନ୍ତି । ୧୯ ବ୍ଲକର ପଂଚାୟତ ଏଥିରେ ପ୍ରଭାବିତ ହେବା ସହିତ ଜୀବନ ରେଖା ବ୍ରାହ୍ମଣୀ ବି ବାଦ୍ ପଡିନି । ସ୍ଥାନୀୟ ଅଂଚଳ ଲୋକଙ୍କ ଭିଟାମାଟି ଉପରେ ଗଢି ଉଠିଥିବା ଏସିଆ ମହାଦେଶର ସର୍ବ ଦ୍ୱିତୀୟ ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ର ଏନ.ଟି.ସି.ପି,କଣିହାଁ ନୂତନ ଆସପଣ୍ଡ ନିର୍ମାଣରେ ବିଳମ୍ବ ହେତୁ ଏଭଳି ସ୍ଥିତି ଉପୁଜିଛି । ଯାହା ଭାରତ ସରକାରଙ୍କର ଏକ ମହାରତ୍ନ କଂପାନୀ ଭାବେ ପରିଚିତ ହୋଇଛି । ଏନ.ଟି.ପି.ସି କାରଖାନା ଗଢିଉଠିବା ପରେ କଣିହାଁ ଅଂଚଳର ଉନ୍ନତି ହେବ ବୋଲି ଜନସାଧାରଣ ବହୁ ଆଶା କରିଥିଲେ । କିନ୍ତୁ ବଡ ଦୁଃଖର କଥା ଏନ.ଟି.ପି.ସି କର୍ତ୍ତୃପକ୍ଷଙ୍କ ଜ୍ଞାନକୈଶଳ ଅଭାବ ଏବଂ ବେପରୁଆ ନୀତି ଯୋଗୁଁ ଏହି ପ୍ରକଳ୍ପ ଚାରିପାଖରେ ଥିବା ଗ୍ରାମ ସହର ଉପରେ ପାଉଁଶ ବର୍ଷା ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉନ୍ନତ ଜ୍ଞାନ କୌଶଳ ଥିଲେ ମଧ୍ୟ ଏହାର ଉପଯୋଗ ନ କରି କଂପାନୀ କର୍ତ୍ତୃପକ୍ଷ ଚିମିନି ଦେଇ ପାଉଁଶ ଛାଡି ଦେଉଛନ୍ତି । ବର୍ଷା ହେଲେ ପାଉଁଶ ପାଣି ପଡୁଛି । ଯାହା ଫଳରେ ଚାଷ ବାସ କରିଥିବା ପନିପରିବା, ଶାଗ ଇତ୍ୟାଦିକୁ ଲୋକମାନେ ଖାଇ ପାରୁନାହାନ୍ତି । ଗଛ ପତ୍ର ଓ ଘାସ ଉପରେ ପାଉଁଶ ଲାଗି ରହୁଥିବାରୁ ଗୃହପାଳିତ ପଶୁ ଚରି ପାରୁନାହାନ୍ତି । ବାହାରେ ଖୋଲା ଯାଗାରେ ଗାଡିମଟର ରଖିଲେ ତାହା ପାଉଁଶରେ ଆଚ୍ଛାଦିତ ହୋଇପଡୁଛି । ସେହିପରି ଏନ.ଟି.ପି.ସି ପାଉଁଶ ପୋଖରୀରୁ ବ୍ୟାପକ ପାଉଁଶ ଉଡିବା ଓ ଚିମିନିରୁ ପାଉଁଶ ପଡିବା ଫଳରେ କଣିହାଁ ଅଂଚଳର ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଜଣା ଯାଇଛି । ଏପରିକି ରାସ୍ତାରେ ଗାଡିମଟରରେ, ସାଇକେଲ ଓ ପଥ ଚାରିଙ୍କ ଆଖିରେ ପାଉଁଶ ପଡିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟୁଛି । ବିଶେଷ କରି ବ୍ଲକସ୍ଥ ଡେରେଙ୍ଗ ଗ୍ରାମବାସୀଙ୍କ ପାଇଁ ସାଜିଛି ଅଭିସପ୍ତ ଜୀବନ । ସେହିପରି ଅନୁରୂପ ଭାବରେ କାକୁଡିଆ, ଘଣ୍ଟିିଆନାଳୀ, ମସୁଣିହତା, ଭୂଇଁପୁର, ବାଲିପଟ୍ଟା, କଂସମୁଣ୍ଡା, ଟାକୁଆ, କଣିହାଁ, ଟୋଲକବେଡା, ଗମ୍ଭାରିଡିହ, ପଟାଖମଣ, ଭୀମକାଣ୍ଡ, ପଥରମୁଣ୍ଡା, ତେଲିସିଂହା, କମରେଇ, ଦଣ୍ଡସିଂହା, ଗଣ୍ଡବେରେଣା, ନକନକା, ଜରଡା, ବିଜିଗୋଳ, ବାରଡାଙ୍ଗୁଆ, ଆମ୍ବପାଳ, ରଙ୍ଗବେଡା, ଗଦାଶିଳା, କରଡେଇ, କାଟେଣୀ, ବୁରୁବାହାଳ, ଚିନ୍ତାମଣିପୁର, ପିଟିଏସ, ଟିଟିଏସ, ଏନ.ଟି.ପି.ସି ବଜାର ଆଦି ଅଂଳରେ ପାଉଁଶ ଝଡ ସୃଷ୍ଟି ହେଉଥିବା ବେଳେ ହନୁମାନପୁର, ସମଲ, କୁଲେଇ, ବଡତ୍ରିବିଡା, ସାନତ୍ରିବିଡା ଆଦି ପଞ୍ଚାୟତ ଉପରେ ଏହି ପାଉଁଶ ପଡିବା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ପ୍ରଦୁର୍ଷଣ ବିଭାଗ ଆଖିରେ ଅନ୍ଧ ଓ କାଲ ସାଜି ଲୋକଙ୍କ ଜୀବନକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବାର ସାଧାରଣରେ ଅଭିଯୋଗ ହୋଇଛି । ଏନ.ଟି.ପି.ସି କାରଖାନାର ଚିମିନି ଓ ପାଉଁଶ ପୋଖରୀରୁ ଉଡୁଥିବା ପାଉଁଶ ଯୋଗୁଁ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ଏନ.ଟି.ପି.ସି କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଅବହେଳାକୁ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ଅବିଳମ୍ବେ ପାଉଁଶ ଉଡିବା ବନ୍ଦ କରିବାକୁ ଦୃଢ ଦାବି କରିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୃଷ୍ଟି ପଡୁ ବୋଲି କମିଟି ଦାବି କରିଛି । ଏହି ପାଉଁଶ ଜନିତ ପ୍ରଦୂଷଣକୁ ବନ୍ଦ କରାନଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଜନ ଜୀବନ ସୁରକ୍ଷା କମିଟି କଣିହାଁ ଶାଖା ପକ୍ଷରୁ ଘନଶ୍ୟାମ ପ୍ରଧାନ, ଗୌତମ ପ୍ରଧାନ, ବିଶ୍ୱନାଥ ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଟୁନା ନାଏକ, ନିରାକାର ସାହୁ, ମାନସୀ ସ୍ୱାଇଁ, ନିର୍ମଳା ପ୍ରଧାନ ଓ ଗଦାଶିଳା ସରପଞ୍ଚଞ୍ଚ ଜେମାମଣି ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି ।