ଭୁବନେଶ୍ୱର: ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ନିଜ ଝିଅ ସହ ତାଙ୍କୁ ହତ୍ୟା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରିଛନ୍ତି ନିଜେ ବିଧାୟକ । ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲସରା ଥାନାରେ ଏତଲା ଦେଇଛନ୍ତି । ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ନାଁରେ ଏତଲା । ମୋବାଇଲକୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜରେ ସଂଯୁକ୍ତା ମହଲ ଓ ବିକାଶ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟରେ ଚାଟିଂ ରହିଛି । ଫେସବୁକରେ ଉଭୟଙ୍କ ଚାଟିଂକୁ ନେଇ ଏତଲା ପରେ ମାମଲା ରୁଜୁ । ଏତଲାରେ ଶ୍ରୀକାନ୍ତ ସାହୁ ଲେଖିଛନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ବିକାଶ ବେହେରା ତାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ସଂଯୁକ୍ତା ମହଲଙ୍କୁ ସାହାଯ୍ୟ ମାଗୁଛନ୍ତି । ଶ୍ରୀକାନ୍ତ ସାହୁଙ୍କ ଝିଅକୁ ମଧ୍ୟ ମାରି ଦେବାକୁ ଚାହୁଁଛନ୍ତି । ବିଜେଡି ନେତ୍ରୀ ସଂଯୁକ୍ତା ମହଲ କିଛି ମାସ ତଳେ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନାରୁ ତାଙ୍କୁ ନ୍ୟାୟ ମିଳିନଥିବାରୁ ହାଇକୋର୍ଟରେ ଅପିଲ କରିଛନ୍ତି । ହାଇକୋର୍ଟ ମଧ୍ୟ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏନେଇ ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।