ବ୍ୟୁରୋ : ଗରିବଙ୍କ ଟଙ୍କାରେ ପୋଷ୍ଟ ମାଷ୍ଟରଙ୍କ ନଜର । ଡାକ ଘରେ ସଞ୍ଚିତ ଧନକୁ ନେଇଗଲା ପୋଷ୍ଟ ମାଷ୍ଟର । ଲକ୍ଷାଧିକ ଟଙ୍କା ହରାଇ ଭାଙ୍ଗିପଡିଛନ୍ତି ଜମାକାରୀ । ଗରିବ ଖଟିଖିଆ ଲୋକେ କିଏ ପିଲାଙ୍କ ଭବିଷ୍ୟତ ତ ଆଉ କିଏ ଝିଅ ବାହାଘର ପାଇଁ ମୂଳ ଲାଗି ପୋଷ୍ଟ ଅଫିସରେ ସଞ୍ଚିଥିଲା ଟଙ୍କା । ହେଲେ ଗରିବଙ୍କ ପେଟକୁ ନାତ ମାରି ପୋଷ୍ଟ ମାଷ୍ଟର ଗରିବଙ୍କ ଧନ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମିଥ୍ୟା କାଗଜପତ୍ର ମାଧ୍ୟମରେ ସାଧାରଣ ଲୋକଙ୍କ ଜମାଖାତାକୁ ନିଜ ପାଖରେ ରଖି ୫୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛି । ଅନେକ ଘରୋଇ ଠକ ସଂସ୍ଥାରେ ଅର୍ଥ ରଖି ଠକାମିର ଶିକାର ହେବାପରେ ଲୋକମାନେ ପୋଷ୍ଟ ଅଫିସରକୁ ଭରସା କରିଥିଲେ । ଭଳିକି ଭଳି ଯୋଜନାରେ ଟଙ୍କା ଜମାଖାତା କରି ସୁରକ୍ଷିତ ବୋଲି ଭାବିଥିଲେ । କିନ୍ତୁ ଲୋକଙ୍କ ବିଶ୍ୱାସ ସହ ଖେଳି ଠକି ଦେଇଛି ପୋଷ୍ଟ ମାଷ୍ଟର । ତେବେ ଘଟଣାଟି ଯାଜପୁର ଦଶରଥପୁର ବ୍ଲକ ବଡ କୁଆଁଲ ଡାକଘରେ ହୋଇଥିବା ଜଣାପଡିଛି। ଶହ ଶହ ହିତାଧିକାରୀ ବିଭିନ୍ନ ପ୍ରକାର ଜମା ଖାତାରେ ଲକ୍ଷଲକ୍ଷ ଟଙ୍କା ଜମା ରଖିଥିଲେ। ତତକାଳୀନ ପୋଷ୍ଟ ମାଷ୍ଟର ଯାଞ୍ଚ ଆଳରେ ହିତାଧିକାରୀଙ୍କ ଖାତାକୁ ନିଜ ପାଖରେ ରଖିଥିଲେ। ପରେ ମିଥ୍ୟା କାଗଜପତ୍ରରେ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି । ପରେ ହିତାଧିକାରୀ ଡାକଘର ଘେରାଉ କରିବା ସହ ଡାକ ସୁପରିଟେଣ୍ଟେଟକୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।