(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନେତାଙ୍କ ମଧ୍ୟରେ ଟିକେଟ ହାତେଇବାକୁ ନେଇ ଟଣାଓଟରା ଚାଲିଛି । ଏପରି ସମୟରେ ବିଜୁ ଜନତା ଦଳର ତୁଙ୍ଗ ଯୁବନେତା ତଥା ସଂକଟମୋଚନ ପ୍ରଣବ ପ୍ରକାଶ ଦାସ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଦିଗରେ ମନଯୋଗୀ । ଏହି କାରଣରୁ ସେ ଚଳିତ ନିର୍ବାଚନରେ ଭାଗନେବା ପାଇଁ ଅନିଚ୍ଛୁକ ।
ପ୍ରଣବ ହେଉଛନ୍ତି ବରିଷ୍ଠ ରାଜନେତା ଅଶୋକ ଦାସଙ୍କ ପୁଅ । ୨୦୦୪ ମସିହାରୁ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି । ୨୦୦୯ରେ ସେ ବିଜେଡି ଟିକେଟରେ ନିର୍ବାଚନ ଲଢିବା ସହ ବିଜୟ ହାସଲ କରିଥିଲେ ଓ ଏହା ମଧ୍ୟରେ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନ ତାଙ୍କ ପାଇଁ ୩ୟ ପାରି ହେବ। ସେ ଯେ କେବଳ ତାଙ୍କ ଅଞ୍ଚଳବାସୀଙ୍କ ପ୍ରିୟ ହୋଇଛନ୍ତି ତାହା ନୁହେଁ, ସେ ଦଳ ସୁପ୍ରିମୋଙ୍କ ଅତି ପ୍ରିୟ । ଗତ ଜାନୁଆରୀ ମାସରେ ନବ ଦାସଙ୍କ ଦଳରେ ମିଶ୍ରଣ ସମୟରେ ଝାରସୁଗୁଡାରେ ଦେଖାଦେଇଥିବା ଅନ୍ତଦ୍ୱର୍ନ୍ଦକୁ ସେ ବେଶ ଦକ୍ଷତାର ସହ ସମାଧାନ କରିପାରିଥିଲେ ।
କୁହାଯାଉଛି, ପ୍ରଣବ ଦଳ ପାଇଁ ସଂକଟମୋଚକ । ଯେତେବେଳେ ଯେଉଁଠି ବି କୌଣସି ସମସ୍ୟା ଦେଖାଦେଇଥାଏ, ପ୍ରଣବ ସଙ୍ଗେସଙ୍ଗେ ସେଠାରେ ଉପସ୍ଥିତ ରହି ତାର ସମାଧାନର ବାଟ ବାହାର କରନ୍ତି । ଦଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ପ୍ରଣବ ସର୍ବଦା ତତ୍ପର ଥିବା କୁହାଯାଉଛି, ତେଣୁ ହୁଏତ ସୁପ୍ରିମୋଙ୍କ ଅତି ପ୍ରିୟପାତ୍ର ହୋଇଛନ୍ତି ପ୍ରଣବ । ଅଞ୍ଚଳ ବାସୀ ମଧ୍ୟ ୩ୟ ଥର ପାଇଁ ସେମାନଙ୍କ ଅଞ୍ଚଳରୁ ପ୍ରଣବଙ୍କୁ ବିଧାୟକ ରୂପେ ଦେଖିବାକୁ ଚାହୁଛନ୍ତି । କିନ୍ତୁ ସେ ଚଳିତ ନିର୍ବାଚନରେ କୁଆଡେ ଟିକେଟ ଆଶାୟୀଙ୍କ ଲମ୍ବା ଧାଡିରେ ନାହାନ୍ତି । ନିର୍ବାଚନ ଲଢିବାକୁ ତାଙ୍କର ଇଛା ନାହିଁ । ସେ ସଂଗଠନ ଭିତରେ ରହି ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ଦଳକୁ ସୁଦୃଢ ରଖିବେ । ଆହୁରି ଶୁଣିବାକୁ ମିଳୁଛି, ପ୍ରଣବ ନିଜ ଅଞ୍ଚଳରେ ଲୋକଙ୍କ ସେବାରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ନିର୍ବାଚନ ନ ଲଢି ସେ ଅଞ୍ଚଳବାସୀଙ୍କ ଉନ୍ନତି ଦିଗରେ ଅଧିକ ସମୟ ଦେବାକୁ ଚାହୁଁଛନ୍ତି ।