ଭୁବନେଶ୍ୱରର: ଜେଲ ଯିବେ ବାହୁବଳି ବିଧାୟକ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ପରେ ଜେଲକୁ ବାଟ ଫିଟିଲା । ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜଗଦ୍ଦେବ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଲେ । ଜଗଦ୍ଦେବଙ୍କ ଜାମିନ ଖାରଜ ପରେ ପୁଲିସ କୋଭିଡ ପ୍ରୋଟୋକଲ ଅନ୍ତର୍ଗତ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଛି । ଏହା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏଡିଜେ କୋର୍ଟରେ ହାଜର ହୋଇଥିଲେ ।
ଗତମାସରେ ଚିଲିକା ବିଧାୟକ ବାଲୁଙ୍ଗାଠାରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିଥିଲେ । ଏନେଇ ଥାନ।।ରେ ଅଭିଯୋଗ ହୋଇଥିଲା । ଏହା ମଧ୍ୟରେ ଏକ ମାସ ଅତିବାହିତ ହୋଇଯାଇଛି । ପୁଲିସ ତାଙ୍କ ଧରିବାରେ ବିଫଳ ହୋଇଥିବା ବେଳେ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇ ତାଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେ ହାଇକୋର୍ଟରେ ହାଜର ହୋଇଥିବା ବେଳେ କୋର୍ଟ ତାଙ୍କୁ ତଳ କୋର୍ଟରେ ଅପିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସେ ଏଡିଜେ -୧ କୋର୍ଟଙ୍କ ସମ୍ମୁଖରେ ହାଜର ହୋଇଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ପୁଲିସ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲେ ।