ବନ୍ୟାରେ ବେହାଲ ରାଜସ୍ଥାନ, ଯୋଗାଯୋଗ ବିଛିନ୍ନ

ପ୍ରଳୟଙ୍କରୀ ବନ୍ୟାରେ ଭାସୁଛି ରାଜସ୍ଥାନ ।

0

(ରାଜସ୍ଥାନ) : ପ୍ରଳୟଙ୍କରୀ ବନ୍ୟାରେ ଭାସୁଛି ରାଜସ୍ଥାନ । ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି ।  ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏବେବି ଅନେକ ସ୍ଥାନରେ ପାଣି ଜମି ରହିଛି। ଦୋକାନଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଯାଇଛି । କିଛି ସ୍ଥାନରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି।

ସହରର ବସ୍ତି ଅଞ୍ଚଳ ପାଣି ଘେରରେ ରହିଛି। ଏପରିକି ପ୍ରବଳ ବର୍ଷା ପାଇଁ କିଛି ସ୍ଥାନରେ କାର୍, ବାଇକ୍ ଆଦି ଅନେକ ଗାଡି ଭାସି ଯାଇଥିବା ଦେଖିବାକୁ ମିଳିଛି। ହାଥମା, ରାମସର ଆଦି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ସୋମବାର ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଥିଲା। ରାତି ୧୧ ଯାଏଁ ବର୍ଷିଥିଲା। ବାଡମେର ସହରରେ ଦୀର୍ଘ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

 

ସୂଚନାନୁଯାୟୀ ,  ପାଣିପାଗ ବିଭାଗ ପକ୍ଷରୁ ଜୈଶଲମେର, ବାଡମେର, ଭୀଲୱାଡା, ଶ୍ରୀଗଙ୍ଗାନଗର, ହନୁମାଗଡ, ଚିତୌଡଗଡ, ରାଜସମନ୍ଦ, ସିରୋହି, ଜାଲୌର, ଉଦୟପୁର, ପ୍ରତାପଗଡ, ବୁନ୍ଦି, କୋଟା, ବିକାନେର, ଅଜମେର ଆଦି ସ୍ଥାନରେ ବର୍ଷା ଓ ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି।