ନଦୀ ପାର ହେଲେ ପ୍ରସୁତି, ଆଖି ବୁଜିଲା ନବଜାତ

0

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପୁଣି ଜଣେ ପ୍ରସୁତିଙ୍କୁ ନଦୀ ପାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ପଡିଛି । କିନ୍ତୁ ପ୍ରସବ ପରେ ନବଜାତ ଦେଖିପାରି ନଥିଲା ଦୁନିଆର ଆଲୋକ । ଏଭଳି ହୃଦୟ ବିଦାରକ ଘଟଣା ମାଲକାନଗିରି-ଛତିଶଗଡ ସୀମାନ୍ତ ଲଙ୍କାପାଲି ଗାଁରେ ଦେଖିବାକୁ ମିଳିଛି । ଗାଁର ଗର୍ଭବତୀ ମହିଳା କରୁଣାଙ୍କୁ ଗତକାଲି ପ୍ରସବ ପୀଡା ହେବାରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଗାଁ ଲୋକେ ଅଣ୍ଟା ଭିଡିଥିଲେ । ତେବେ ଲଗାଣ ବର୍ଷା ଯୋଗୁ ଗାଁକୁ ଥିବା ରାସ୍ତା ପାଣିରେ ବୁଡି ଯାଇଥିଲା । ଏଣୁ ଗାଁ ଲୋକେ ନଦୀର ଦୁଇ ମୁଣ୍ଡରେ ଦଉଡି ବାନ୍ଧି ଗର୍ଭବତୀଙ୍କୁ ନଦୀ ପାର କରାଇଥିଲେ । ତେବେ ଏହି ସମୟରେ ନଦୀରେ ପାଣିର ସୁଅ ପ୍ରଖର ରହିଥିଲା । ତେବେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ କରୁଣା କୌଣସି ମତେ ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ପ୍ରସବ ପରେ ତାଙ୍କ ସନ୍ତାନ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ତେବେ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ମାଲକାନଗିରିର ଉପାନ୍ତ ଅଞ୍ଚଳରେ ଏଭଳି କରୁଣ ଚିତ୍ର ଏବେ ସାମ୍ନାକୁ ଆସିଛି ।