ରାସ୍ତା ନଥିବାରୁ ଭାରରେ ବୁହା ହେଲେ  ଗର୍ଭବତୀ ମହିଳା

0

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ :  ନେଟୱର୍କ ଅଭାବରୁ ହୋଇ ପାରୁନି ଯୋଗାଯୋଗ । ଗର୍ଭବତୀ ମହିଳାଙ୍କୁ  ଭାରରେ  ନେବକୁ ପଡୁଛି। ଏମିତି ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଢ଼ିଙ୍ଗିଆ ପଞ୍ଚାୟତରେ । ପ୍ରଥମ ଥର ଏପରି ଘଟିନି ଆଗରୁ ଅଧ୍ୟ  ଏ ଭଳି ଘଟଣା ପୁନରାବୃତ୍ତି ହୋଇଛି। ରାସ୍ତା ଘାଟ ଅଭାବରୁ ଗାଁ ରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ।

ସୂଚନା ଅନୁଯାୟୀ, ମଙ୍ଗଳ ବାର ସକାଳେ ମୁସୁମାସ୍କା ଗ୍ରାମର ବାଳକୃଷ୍ଣ ମଲ୍ଲିକଙ୍କ ପତ୍ନୀ ଇନାମତିଙ୍କ ଗର୍ଭ ଯନ୍ତ୍ରଣା ହେଇଥିଲା। ଜନନୀ ଏକ୍ସପ୍ରେସକୁ କୌଣସି ପ୍ରକାର ଖବର ଦିଆଯାଇ ଥିଲେବି ଗାଁ ପର୍ଯ୍ୟନ୍ତ ରାସ୍ତା ନ ଥିବାରୁ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ବାଧ୍ୟ ହୋଇ ପରିବାର ଲୋକେ ଓ ପଡ଼ୋଶୀ ଲୋକେ ଏକ ଦୋଳାରେ ଇନାମତିଙ୍କୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନିକଟସ୍ତ ପକ୍କା ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ଫିରିଙ୍ଗିଆ ଡାକ୍ତଖାନାକୁ ନିଆ ଯାଇଥିଲା। ତେବେ ଡାକ୍ତଖାନା ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ହିଁ ଇନାମତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା। ଏବେ ମା ଛୁଆ ଉଭୟ ସୁସ୍ଥ ଥିବା ଜଣାପଡିଛି।

ଗତ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ହୋଇଥିବା ସହ ଅନେକ ଦିନ ତଳେ ଗାଁ କୁ ମାଟି ରାସ୍ତା ନିର୍ମାଣ ହୋଇଥିବା ଗାଁ ଲୋକେ କହିଛନ୍ତି।ଆଜି ପର୍ଯ୍ୟନ୍ତ ରାସ୍ତା ପୁନର ନିର୍ମାଣ ହୋଇ ପାରିନାହିଁ। ଫଳରେ ଗାଁଟି ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ  ରାସ୍ତା ନିର୍ମାଣ କରିବାକୁ  ଗାଁ ଲୋକେ ଦାବି କରିଛନ୍ତି।