(ଦୀପକ କୁମାର ମିଶ୍ର / ଉଦଳା) ; ଗର୍ଭବତୀ ମହିଳାଙ୍କୁ ତିନି କିଲୋମିଟର ଚଲାଇବା ମହଙ୍ଗା ପଡିଲା ଥାନା ଅଧିକାରିଣୀଙ୍କୁ । ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କ କଷ୍ଟକୁ ଅନୁଭବ ନ କରିପାରି ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରିଣୀ । ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି । ଗତକାଲି ବିକ୍ରମ ବିରୁଲି ନିଜ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କର ଚେକଅପ ନିମନ୍ତେ ଉଦଳା ଆସୁଥିବା ବେଳେ ହେଲମେଟ ଚେକିଂରେ ତାଙ୍କୁ ଅଟକାଇଥିଲେ ଶରତ ଥାନା ଓଆଇସି ରୀନା ବକ୍ସଲା । ପରେ ବିକ୍ରମଙ୍କ ସ୍ତ୍ରୀ ହେଲମେଟ ପିନ୍ଧି ନ ଥିବା କହିବା ସହିତ ତାଙ୍କର ଚାଲାଣ କାଟିଥିଲେ । ତାପରେ ବିକ୍ରମକୁ ଥାନା ଗାଡିରେ ବସାଇ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଯାଇଥିଲେ । ଯାହାଫଳରେ ବିକ୍ରମଙ୍କ ସ୍ତ୍ରୀ ତିନି କିଲୋମିଟର ଚାଲି ଚାଲି ଥାନାକୁ ଯାଇଥିଲେ । ଏହି ଘଟଣାରେ ବିକ୍ରମ ଏସଡିପିଓଙ୍କୁ ଅଭିଯୋଗ କରିଥିବା ବେଳେ ମୟୂରଭଞ୍ଜ ଏସପି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ।