ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ଏବଂ ୯ ତାରିଖ ଦିନ ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂରତିଙ୍କ ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।ସେହିଭଳି ସନ୍ଧ୍ୟା ଦର୍ଶନ ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତି ନେଇଛି । କିନ୍ତୁ ପ୍ରଶାସନର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ ଏବଂ ସେବାୟତ । ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ପରମ୍ପରା ଅନୁୟାଯୀ ସନ୍ଧ୍ୟା ବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରାଯାଏ । କିନ୍ତୁ ୪ଟାରେ ଦର୍ଶନ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି କହିଛନ୍ତି ସେବାୟତ ।
ଅନ୍ୟପକ୍ଷେ, ଗତକାଲି ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାରରେ ଲାଗିଛି ତିନି ରଥ। ତିନି ରଥକୁ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଇଛି। ତିନି ରଥକୁ ପୋଲିସ୍ କର୍ମଚାରୀ ଓ ଭୋଇ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହ ଦ୍ଵାରରୁ ତିନି ରଥକୁ ଟାଣି ଟାଣି ନେଇ ନାକଚଣା ଦ୍ଵାରରେ ଲଗାଇଥିଲେ। ତେବେ ରଥର ଦକ୍ଷିଣ ମୋଡ଼ର ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା ସରଧା ବାଲିରେ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ନୀତି ପର ଦିନ ରଥ ତ୍ରୟକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଏ। ଏଥି ସହ ବାହୁଡ଼ା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରଂଭ ହୋଇଥାଏ। ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଆରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି ।