ପୁରୀ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । କିଛି ସମୟ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ହେବ ଦକ୍ଷିଣ ମୋଡ଼ ।
ନାଚଚଣା ଦ୍ବାର ଆଗରେ ଶରଧାବାଲିରେ ରଥ ତ୍ରୟ ବିଜେ କରିବେ । ଏଥିପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । ସେବାୟତ ଏବଂ ପୋଲିସଙ୍କ ସହଯୋଗରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ଏହାପୂର୍ବରୁ ଗତକାଲି ରଥଗୁଡିକର ସ୍ଥିତି ଯାଞ୍ଚ କରାଯାଇଛି । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ବାହୁଡା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।
ଗତକାଲି ହେରାପଞ୍ଚମୀରେ ଶ୍ରୀମନ୍ଦିରରୁ ବିମାନରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଥିଲେ ମାଆ ମହାଲକ୍ଷ୍ମୀ । ଏହାପରେ ବନ୍ଦାପନା ଓ ସେବା ପୂଜା କରାଯାଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବାରୁ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଥିଲେ।