ଭୁବନେଶ୍ୱରରେ ଗଣେଶ ପୂଜାର ପ୍ରସ୍ତୁତି

0

ଭୁବନେଶ୍ୱର: ଆସିଛି ପାର୍ବଣର ଋତୁ। ଚଳିତ ବର୍ଷ ପୂଜା ରେ ଝଲସିବ ପୁରା ସହର । ସବୁଠି ଭଳିକି ଭଳି ଆଲୋକ ମାଳରେ ସୁସଜ୍ଜିତ ହେବ ସହର । ଆଉ ପାର୍ବଣର ଋତୁରେ ପ୍ରଥମେ ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ। ତେଣୁ ଗଣେଶ ପୂଜାକୁ ନେଇ ରାଜଧାନୀର ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜଧାନୀରେ କାହାର ହେବ ସବୁଠାରୁ ବଡ ଗଣେଶ ସେନେଇ ପ୍ରତିଯୋଗିତା ଆରମ୍ଭ ହୋଇ ସାରିଛି ।

ଏଥର ସବୁଠାରୁ ବଡ ଗଣେଶଙ୍କ ମୂର୍ତ୍ତି ବଡଗଡରେ ଦେଖିବାକୁ ମିଳିବ । ୫୫ ଫୁଟର ପ୍ରତିମୂର୍ତ୍ତି ସହ ୧୦ କେଜି ରୁପାର ପାଦ ନିର୍ମାଣ ହୋଇଛି ବଡଗଡରେ। ୩୦ ଲକ୍ଷର ବ୍ୟୟ ଅଟକଳରେ ମୁମ୍ବାଇ ଲାଲବାଗର ଏହି ଗଣେଶ ପ୍ରତିମୂର୍ତ୍ତି ବୋଲି ଜଣାପଡିଛି। ସେହିପରି ନୟାପଲ୍ଲୀ ନୂଆସହିରେ ପ୍ରସ୍ତୁତ ହୋଇଛି ୫୧ ଫୁଟ ର ଗଣେଶ ପ୍ରତିମୂର୍ତ୍ତି। ନୟାପଲ୍ଲୀ ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଦନ ପୂଜା ମଣ୍ଡପରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଇକୋ ଫ୍ରେଣ୍ଡଲି ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ଆଉ ଏହି ମୂର୍ତ୍ତି ୫୧ ଫୁଟ ର ହୋଇଥିବା ବେଳେ ୯ ଫୁଟର ମୁକୁଟ ଗଜାନନଙ୍କ ମସ୍ତକରେ ଶୋଭା ବଢାଇବ। ତେବେ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ସିଶିଟିଭି କ୍ୟାମେରା ସହ ୨୦୦ ସ୍ୱଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ସେପଟେ ଶଙ୍ଖ, ଚକ୍ର ଓ ଗଦାଧାରୀ ବିଷ୍ଣୁ ରୂପରେ ଚନ୍ଦ୍ରଶେଖରପୁରରେ ସାମ୍ନାକୁ ଆସିବେ ଗଜାନନ । ୬ ଦିନର ସାଂସ୍କୃତିକ କାର୍ୟ୍ୟକ୍ରମ ସହ ମନ ମୋହିବେ ଓଡ଼ିଶାର ଜନଶୁଣା କଳାକାର ବା କଣ୍ଠଶିଳ୍ପୀ।