ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଓଲଟି ପଡ଼ିଥିବା ବସ୍ଟିରେ ମୋଟ୍ ୨୫ ଜଣ ଯାତ୍ରୀ ଥିଲେ । ଏହି ହୃଦୟ ବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ ଏବଂ ବଡ଼ ବଡ଼ ଦିଗଜମାନେ ଶୋକ ପ୍ରକାଶ କରିଛନ୍ତି । ଏହାରି ଭିତରେ ଏହି ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସଚନା ଥାଉକି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ଗଞ୍ଜାମ ପ୍ରଶାସନ ୩୦ ହଜାର ଟଙ୍କା ଘୋଷଣା କରିଛି ।