ନିଜ ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ସ୍ୱାଗତ କଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

0

ମୟୁରଭଞ୍ଜ:୩ ଦିନିଆ ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇବା ପରେ ଜନ୍ମମାଟିକୁ ଏହା ତାଙ୍କ ପ୍ରଥମ ଗସ୍ତ ।ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ବାୟୁସେନା ହେଲିକପ୍ଟରରେ ପହଞ୍ଚିଥିଲେ ମୟୂରଭଞ୍ଜର ବାଦାମପାହାଡ଼ରେ ।ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି। ମୟୂରଭଞ୍ଜର ବାଦାମ ପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଗାଁ ମାଟିରେ ଜୋରଦାର ପ୍ରସ୍ତୁତି ସରିଛି ।ଗସ୍ତର ପ୍ରଥମ ଦିନରେ ଆଜି ନିଜ ଗାଁ ପାହାଡ଼ପୁର ସହ ରାଇରଙ୍ଗପୁରର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ମହାମହିମଙ୍କୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ରାଇରଙ୍ଗପୁର ସହର । ଏଠାରୁ ହିଁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।
ସେଠାରୁ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ । ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଂଟରର ଲୋକାର୍ପଣ କରିବେ । ଏହା ସହ ଏଲ୍ ଆଣ୍ଡ ଟି ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ମଧ୍ୟ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି । ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି । ଅପରାହ୍ନ ୧୨ଟା ୩୦ରେ ପାହାଡପୁରରୁ ବାହାରି ୧୨ଟା ୪୫ରେ ହାଟବଦ୍ରା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଂଚିବେ । ସେଠାରେ ନିଶାମୁକ୍ତି ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ବାରିପଦା ସର୍କିଟ୍ ହାଉସ୍ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି ଭବନରେ ବିଶ୍ରାମ ନେବେ। ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ୟ୍ୟକ୍ରମ ପରେ ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ।