ଭୁବନେଶ୍ୱର: ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୬ ଓ ୨୭ ତାରିଖରେ ରାଷ୍ଟ୍ରପତିଙ୍କର ଓଡ଼ିଶାରେ ଦୁଇଟି କାର୍ୟ୍ୟକ୍ରମ ରହିଛି । ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟ, ଏସସିବି ମେଡିକାଲ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ତିନୋଟି କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତି କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଆଜି ଏସସିବି କଲେଜ କାଉନସିଲ୍ ବୈଠକ ଡକାଯାଇଛି । କଟକ ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଜୁଲାଇ ୨୭ ତାରିଖରେ ଭଦ୍ରକ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯିବ। ଏଥିପାଇଁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୁଲିସ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଉପରେ ନଜର ରଖିଛି।
ସୂଚନାଯୋଗ୍ୟ, ମେ’ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡ଼ିଶା ଆସିଥିଲେ। ୪ ତାରିଖରେ ଶ୍ରୀମତୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ଯାଇ ସେଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।