ନୂଆଦିଲ୍ଲୀ: ଷୋଡଶ ରାଷ୍ଟ୍ରପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଓଡି଼ଶା ବିଧାନସଭା ସଚିବାଳୟର ନୋଟିସ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ । ଜୁଲାଇ ୩୦ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଜୁଲାଇ ୨ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୮ ତାରିଖରେ ଭୋଟ ଗ୍ରହଣ ହେବ । ୨୧ ତାରିଖରେ ଭୋଟ ଗଣତି ହେବ । ଉଭୟ ଗୃହର ସାଂସଦମାନେ ସଂସଦ ଭବନରେ ଭୋଟ ଦେଇପାରିବେ । ବିଧାୟକମାନେ ବିଧାନସଭାରେ ଭୋଟ ଦେଇପାରିବେ । ତେବେ କୌଣସି ସାଂସଦ ଯଦି ନିଜ ରାଜ୍ୟର ବିଧାନସଭାରେ ଭୋଟ ଦେବାକୁ ଚାହିଁବେ ତାହେଲେ ଭୋଟ ଗ୍ରହଣର ୧୦ ଦିନ ଆଗରୁ ରିଟଣ୍ଣିଂ ଅଫିସରଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଜଣେ ପ୍ରାର୍ଥୀଙ୍କ ଲାଗି ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକ ରହିପାରିବେ ବୋଲି କମିଶନ କହିଛନ୍ତି । ଉଭୟ ସଦନର ୭୭୬ ଜଣ ସାଂସଦ ରହିଛନ୍ତି । ସେମାନଙ୍କର ଭୋଟ ମୂଲ୍ୟ ୫,୪୩,୨୦୦ ରହିଛି । ସେହିପରି ଦେଶରେ ୪,୦୩୩ ଜଣ ବିଧାୟକ ରହିଛନ୍ତି । ସେମାନଙ୍କର ଭୋଟର ମୂଲ୍ୟ ୫,୪୩, ୨୩୧ ରହିଛି । ଏମାନେ ସମସ୍ତେ ଅନୁଷ୍ଠିତ ନିର୍ବାଚନରେ ଅଂଶଗ୍ରହଣ କରିବେ । ତେବେ ଦେଶର ଆଞ୍ଚଳିକ ଦଳ ବିଜେଡି, ଓଆଇଏସ୍ଆର କଂଗ୍ରେସ, ତୃଣମୂଳ କଂଗ୍ରେସ ମୁଖ୍ୟ ଭୂମିକା ନେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ମନୋନୀତ ସଦସ୍ୟ ଓ ବିଧାନପରିଷଦର ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ।