ମିଳିତ ପ୍ରାର୍ଥୀ ଦେବ ବିରୋଧୀ

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ

0

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ବିଶେଷ ଭାବେ ଶାସକ ବିଜେପି ଓ ବିରୋଧୀ ପ୍ରାର୍ଥୀ ଦେବାକୁ ସେମାନଙ୍କ ପ୍ରୟାସ ଜାରି ରହିଛି । ଶାସକ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିରୋଧୀଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏକାଧିକ ନାମ ଶୁଣା ଯାଉଛି । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଓଡ଼ିଶାର ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଶୁଣାଯାଉଛି ।
ତେବେ ଏହି କ୍ରମରେ ବୁଧବାର ଦିଲ୍ଲୀସ୍ଥିତ ଏନସିପି ନେତା ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ନେତାମାନେ ଏକତ୍ରିତ ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ), ଆରଏସପି, ଶିବସେନା, ଏନସିପି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି), ଜନତା ଦଳ(ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ପ୍ରମୁଖ ୧୬ଟି ଦଳର ନେତାମାନେ ସାମିଲ ହୋଇଥିଲେ । ପ୍ରାୟ ୨ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସାକାରାତ୍ମକ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୁଇଟି ନାମ ପ୍ରସ୍ତାବ ଆସିଥିଲା । ସେମାନଙ୍କ ମଧ୍ୟରେ ଗୋପାଲ ଗାନ୍ଧୀ ଏବଂ ଫାରୁକ ଅବଦୁଲ୍ଲାଙ୍କ ନାମ ଅନ୍ୟତମ । ଏଥିସହିତ ଏନସିପି ନେତା ଶରଦ ପାୱାରଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ବୈଠକରେ ଆମ ଆଦମୀ ପାର୍ଟି, ଟିଆରଏସ ଏବଂ ବିଜେଡି ସାମିଲ ହୋଇନାହିଁ । ଅପରପକ୍ଷେ, ନିମନ୍ତ୍ରଣ ନମିଳିବା କାରଣରୁ ଆସାଦୁଦ୍ଦିନ ଓୱେଶୀ ନିଜର ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ତେବେ ସବୁ ରାଜନୈତିକ ଦଳର ନେତାଙ୍କ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ହୋଇଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଆୟୋଜକ ମମତା ବାନାର୍ଜୀ କହିଛନ୍ତି । ତଥାପି ସମସ୍ତ ନେତାଙ୍କ ପୂର୍ଣ୍ଣ ସମର୍ଥନରେ ବିରୋଧୀ ଦଳ ପକ୍ଷରୁ ଜଣେ ପ୍ରାର୍ଥୀଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି । ତେବେ ଏନେଇ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ ବୋଲି ମମତା କହିଛନ୍ତି ।