ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ । ଏନେଇ ଉଭୟ ଶାସକ ବିଜେପି ଓ ବିରୋଧୀ ଦଳ ତତ୍ପର ହୋଇ ଉଠିଛନ୍ତି । ବିଶେଷ ଭାବେ ଶାସକ ବିଜେପି ଦୃଢ଼ ସ୍ଥିତିରେ ରହିଛି ବୋଲି କହୁଛି । ମାତ୍ର ଏହି ନିର୍ବାଚନରେ ବିରୋଧୀ ତଥା ଅଣବିଜେପି ଦଳ ପ୍ରାର୍ଥୀ ଦେବାକୁ ପ୍ରୟାସ ଜାରି ରହିଛି । ଏନେଇ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଚାଲିଛି ବିଚାରବିମର୍ଷ । ଏହି ବୈଠକରେ ମହାରାଷ୍ଟ୍ର ଏନସିପି ନେତା ଶରଦ ପାୱାରଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଜୋରଦାର ଚର୍ଚ୍ଚା ହେଉଛି । ଏଥିପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି କଂଗ୍ରେସ ଶରଦ ପାୱାରଙ୍କ ନାମକୁ ସମର୍ଥନ ପ୍ରଦାନ କରିସାରିଛି । ତେବେ ଏନେଇ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ସମସ୍ତ ବିରୋଧୀ ଦଳ ନେତାମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହିତ ଶ୍ରୀ ଖାଡଗେ କଥା ହୋଇଥିବା ଜଣାପଡିଛି ।