ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ୭୫ ବର୍ଷ ପାଳନ ଅବସରରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଅଭିଭାଷଣ ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଭିବାଦନ ଜଣାଇଥିଲେ। ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି। ଅଗଷ୍ଟ ୧୪ ତାରିଖକୁ ଦେଶ ବିଭାଜନ ସ୍ମୃତି ଦିବସ ଭାବରେ ପାଳନ କରାଯାଏ। ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ, ସୌହାର୍ଦ୍ଦ୍ୟ, ମାନବ ସଶକ୍ତିକରଣ ଏବଂ ଏକତାକୁ ପ୍ରୋତ୍ସାହିତ କରିବା। ଏହା ଆମର ସଂକଳ୍ପ ଯେ ୨୦୪୭ ସୁଦ୍ଧା ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବୁ। ଅଗଷ୍ଟ ୧୫ ୧୯୪୭ରେ ଆମେ ଉପନିବେଶ ଶାସନର ଶିକୁଳି କାଟି ଦେଇଥିଲୁ। ସେହି ଶୁଭଦିନର ବାର୍ଷିକୀ ପାଳନ କରୁଥିବାବେଳେ ଆମେ ସମସ୍ତ ସ୍ୱାଧୀନତା ସଂଗ୍ରମୀଙ୍କୁ ସମ୍ମାନର ସହ ଅଭିବାଦନ ଜଣାଉଛୁ। ସେ ସବୁକିଛି ବଳିଦାନ ଦେଇଛନ୍ତି ଯାହା ଦ୍ୱାରା ଆମେ ସମସ୍ତେ ଏକ ମୁକ୍ତ ଭାରତରେ ନିଶ୍ୱାସ ନେଇ ପାରିବା। ଏହା ଉତ୍ସବ ପାଇଁ ଏକ ସମୟ। ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଚାଲିଛି। ଆଜି ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ତ୍ରିରଙ୍ଗା ଗର୍ବର ସହିତ ଉଡୁଛି। ଭାରତ ପ୍ରତିଦିନ ଅଗ୍ରଗତି କରୁଛି। ଦେଶରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ମହିଳାମାନେ ଭୋଟ ଦେବାର ଅଧିକାର ପାଇବା ଲାଗି ଅନେକ ସଂଘର୍ଷ କରିବାକୁ ପଡୁଥିଲା। କିନ୍ତୁ ଆମ ଗଣତନ୍ତ୍ରରେ ଆରମ୍ଭରୁ ଭାରତ ସର୍ବଭାରତୀୟସ୍ତରରେ ବୟସ୍କ ମତଦାନ ଗ୍ରହଣ କରିଥିଲା।
ମାର୍ଚ୍ଚ ୨୦୨୧ରେ ଦାଣ୍ଡିଯାତ୍ରାର ସ୍ମୃତ୍ତିକୁ ଉଜ୍ଜୀବିତ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ଆରମ୍ଭ କରାଯାଇଥିଲା। ସେହି ଯୁଗାନ୍ତକାରୀ ଆନ୍ଦୋଳନ ବିଶ୍ୱସ୍ତରରେ ଆମର ସଂଗ୍ରାମ ପ୍ରତିଷ୍ଠା କଲା। ତାଙ୍କୁ ସମ୍ମାନ ଜଣାଇ ଆମର ପର୍ବ ଆରମ୍ଭ ହୋଇଥିଲା। ଏହି ପର୍ବ ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ। ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୫ ତାରିଖକୁ ଆଦିବାସୀ ଗର୍ବ ଦିବସ ଭାବେ ସରକାରଙ୍କ ତରଫରୁ ପାଳନ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ଦେଶରେ ଦୁଇ ଶହ କୋଟି ଟିକାକରଣ ମାନବ ଇତିହାସରେ ବିରଳତମ ଘଟଣା ବୋଲି କହିଥିଲେ। ମହାମାରୀ ମୁକାବିଲାରେ ବିକଶିତ ଦେଶଠାରୁ ଆମ ଦେଶର ସଫଳତା ହାର ଆଗରେ ରହିଛି। ଦେଶରେ ଉତ୍ତମ ଶାସନ ଲାଗି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୀତି ତଥା ଆନୁସଙ୍ଗିକ କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କହିଥିଲେ। ଏହାଛଡା ଭାରତର ସଶସ୍ତ୍ର ବାହିନୀ, ବିଦେଶରେ ଥିବା ଭାରତୀୟଙ୍କ ଖୁସି ଓ ସମୃଦ୍ଧି ଲାଗି ମୁଁ ପୁଣି ଥରେ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ।