ବ୍ୟୁରୋ : ଭାରତ ଓ କାନାଡା ତିକ୍ତତା ବଢୁଥିବାବେଳେ ଏବେ କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏକ ପୋଷ୍ଟ କରି ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍ଚି । ଦିନକ ପୂର୍ବରୁ କାନାଡା ସରକାର ଭାରତରେ ରହୁଥିବା ନିଜ ନାଗରିକମାନଙ୍କୁ ସାବଧାନ ରହିବାକୁ ଅନୁରୋଧ କରିଥିବାବେଳେ ଏବେ ଏଭଳି ସତର୍କତା ଜାରି କରିଛି ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାରେ କାନାଡା ପ୍ରଥମେ ଭାରତକୁ ଦୋଷାରୋପ କରିଥିଲାବେଳେ କାନାଡା ସରକାର ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ଭାରତରେ ଅତ୍ୟଧିକ ସାବଧାନତା ଅବଲମ୍ବନ କରି ରହିବାକୁ କାନାଡାବାସୀଙ୍କୁ କହିଛି । ଅନ୍ୟପଟେ କାନାଡାରେ ବଢ଼ି ଚାଲିଥିବା ଭାରତ ବିରୋଧୀ ଗତିବିଧି, ରାଜନୈତିକ ଅପରାଧ ଓ ହିଂସାକୁ ଦୃଷ୍ଟିରେ ରଖି କାନାଡାରେ ରହୁଥିବା ନିଜ ନାଗରିକମାନଙ୍କୁ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ଭାରତ ଅନୁରୋଧ କରିଛି।