ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିବେ । ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ପ୍ରାୟ ୩୩୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ।
ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଆୟକର ବିଭାଗ, ଆଇଆଇଟି ଭୁବନେଶ୍ବର, ସିଆରପିଏଫରେ ଜଣେ ଲେଖାଏଁ, ସିଆଇଏସଏଫରୁ ତିନି ଜଣ, ପୂର୍ବତଟ ରେଳବାଇରେ ୧୩ ଜଣ, ଭାରତୀୟ ଷ୍ଟେଟବ୍ୟାଙ୍କରେ ୨୪ ଜଣ, ଏମ୍ସ ଭୁବନେଶ୍ୱରରୁ ୭୦ ଜଣ, ଡାକ ବିଭାଗରେ ୨୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ କ୍ରମାଗତ ଭାବେ ରୋଜଗାର ମେଳା ଆୟୋଜନ କରାଯାଇ ଆସୁଛି।